କୋଲକାତା: ବଙ୍ଗଳା ବିଧାନସଭା ନିର୍ବାଚନରେ କ୍ଷମତାଧାରୀ ଟିଏମସିକୁ ହରାଇବା ପାଇଁ ବିଜେପି ଜୋରଦାର ପ୍ରସ୍ତୁତି ଚଲାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ନେତା ଲଗାତାର ବଙ୍ଗଳା ଗସ୍ତ କରି ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ଏଥିସହିତ ପ୍ରତିଦିନ ଅନେକ ନେତା ଟିଏମସି ଛାଡ଼ି ବିଜେପିରେ ଯୋଗ ଦେଉଛନ୍ତି। ଇତିମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ମୋଦୀ କାନ୍ଥୀରେ ଏକ ଜନସଭାକୁ ସମ୍ବୋଧିତ କରିବା ସମୟରେ ସେଠାରେ ଏମିତି କିଛି ଘଟିଲା ଯାହାକି ସମସ୍ତଙ୍କୁ ଚକିତ କରିଦେଇଛି। ମୋଦୀ ମଞ୍ଚରେ ପହଞ୍ଚିବା ପରେ ସମସ୍ତ କାର୍ଯ୍ୟକର୍ତ୍ତା ତାଙ୍କୁ ଅଭିବାଦନ ଜଣାଇଥିଲେ। କିଛି ନମସ୍କାର କରିଥିବାବେଳେ ଆଉ କିଛି ମୋଦୀଙ୍କ ପାଦ ଛୁଇଁଥିଲେ।
ଏହି ଅବସରରେ ଯେତେବେଳେ ଜଣେ କାର୍ଯ୍ୟକର୍ତ୍ତା ମୁଣ୍ଡ ନୁଆଁଇ ମୋଦୀଙ୍କ ପାଦ ଛୁଇଁବାକୁ ଚେଷ୍ଟା କରୁଥିଲେ ସେହି ସମୟରେ ମୋଦୀ ତାଙ୍କ ହାତ ଧରି ଏମିତି କରିବାରୁ ରୋକିଥିଲେ। କିନ୍ତୁ ନିଜର ଶ୍ରେଷ୍ଠ ନେତାର ପାଦ ଛୁଇଁବାକୁ କାର୍ଯ୍ୟକର୍ତ୍ତା ଜଣକ ପୁଣିଥରେ ଚେଷ୍ଟା କରିଥିଲେ। ଆଉ ମୋଦୀ ମଧ୍ୟ ତାଙ୍କୁ ପୁନର୍ବାର ରୋକିଥିଲେ। କିନ୍ତୁ ଶେଷରେ କାର୍ଯ୍ୟକର୍ତ୍ତା ଜଣକ ପାଦ ଛୁଇଁ ପ୍ରଣାମ କରିଥିଲେ ଆଉ ମୋଦୀ ମଧ୍ୟ ସମାନ ଢଙ୍ଗରେ ତାଙ୍କ ପାଦ ଛୁଇଁଥିଲେ।