ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସୀମାନ୍ତବର୍ତ୍ତୀ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନ ହେଲେ ଜୟଲାଲ ବିକ୍, ଡ୍ରାଇଭର କରନ ଦିହାରି, ସେବକ ସଲାମ, ପବନ ମାଣ୍ଡାବି ଓ ବିଜୟ ପଟେଲ ବୋଲି ପ୍ରାଥମିକ ସୂଚନା ମିଳିଛି। ତଥ୍ୟ ଅନୁଯାୟୀ ନାରାୟଣପୁର ଜିଲ୍ଲା ଦୁଦାଇ ଥାନା ଅନ୍ତର୍ଗତ କଡେନାଡ ଓ ମନ୍ଦଡା ରାସ୍ତାରେ ମାଓବାଦୀମାନେ ଲ୍ୟାଣ୍ଡମାଇନ ବିଛାଇଥିଲେ। ସେହି ରାସ୍ତା ଦେଇ ପ୍ରାୟ ୨୦ରୁ ଅଧିକ ଡିଆରଜି ଯବାନ ଏକ ବସ ଯୋଗେ କୁମ୍ବିଂ ଅପରେସନ ସାରି ଫେରୁଥିବା ସମୟରେ ଉକ୍ତ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା।
ଘଟଣାସ୍ଥଳରେ ୫ ଜଣ ଡିଆରଜି ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଗୁରୁତର ହୋଇଛନ୍ତି। ଆହତଙ୍କୁ ହେଲିକାପ୍ଟର ଯୋଗେ ରାୟପୁର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବସ୍ତର ଆଇଜି ସୁନ୍ଦରରାଜ ପି. ସୂଚନା ଦେଇଛନ୍ତି। ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।