ନାବାଳିକାକୁ ବଳାତ୍କାର ଓ ଭିଡ଼ିଓ ଭାଇରାଲ ଘଟଣାରେ କଲେଜ ଛାତ୍ର ଗିରଫ

ଖୋର୍ଦ୍ଧା, ଏନ୍ଏନ୍ଏସ୍: ସଦର ଥାନା ଅଂଚଳର ଜଣେ ନାବାଳିକାକୁ ପ୍ରେମ ଜାଲରେ ଫସାଇ ତାକୁ ବଳାତ୍କାର କରିବା ଓ ପରେ ଭିଡ଼ିଓ କରି ଭାଇରାଲ କରିବା ଘଟଣାରେ ସଦର ପୁଲିସ ଶୁକ୍ରବାର ଜଣେ ଡିପ୍ଲୋମା ଛାତ୍ରକୁ ଗିରଫ କରିଛି । ଛାତ୍ରଜଣଙ୍କ ହେଲେ ଜଙ୍କିଆ ଥାନା ଅନ୍ତର୍ଗତ ଦଳିତ ସାହିର ମାଧବ ନାୟକ।

ସୂଚନା ଅନୁଯାୟୀ , ମାଧବ ପିତାପଲ୍ଲୀସ୍ଥିତ ଏକ ଘରୋଇ କଲେଜରେ ଡ଼ିପ୍ଲୋମା ଛାତ୍ର ଅଟେ । ତେବେ ସଦରଥାନା ଅନ୍ତର୍ଗତ ବାଜପୁର ପଂଚାୟତ ଅଂଚଳରେ ତାଙ୍କର ସମ୍ପର୍କିୟଙ୍କ ଘର ହୋଇଥିବାରୁ ମଝିରେ ମଝିରେ କଲେଜରୁ ମାଧବ ସେଠାକୁ ଆସିଥାଏ । ଯିବା ଆସିବା ମଧ୍ୟରେ ସମ୍ପର୍କିୟଙ୍କ ପଡ଼ୋଶୀ ନାବାଳିକା ସହିତ ମାଧବ ପ୍ରେମ ସମ୍ପର୍କ ତିଆରି କରିଥିଲା । ପ୍ରାୟ ସମୟ ମାଧବ ସେଠାକୁ ଆସି ନାବାଳିକା ସହିତ ଶାରୀରିକ ସମ୍ପର୍କ ରଖୁଥିଲା ଏବଂ ଉକ୍ତ ସମୟର ଦୃଶ୍ୟକୁ ମୋବାଇଲ ରେ କଏଦ କରି ପରେ ଭାଇରାଲ କରିଥିଲା । ଭିଡ଼ିଓ ଟି ଗୋଟିଏ ମୋବାଇଲ ରୁ ଅନ୍ୟ ମୋବାଇଲ କୁ ଘୁରିବୁଲୁଥିବାବେଳେ ଘଟଣା ସମ୍ପର୍କରେ ନାବାଳିକାଙ୍କ ପରିବାର ଲୋକ ଜାଣିବାକୁ ପାଇଥିଲେ ।

ଏନେଇ ନାବାଳିକାଙ୍କ ମା ସଦରଥାନାରେ ଗୁରୁବାର ଏକ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଶୁକ୍ରବାର ମାଧବକୁ ପୁଲିସ ଗିରଫ କରିଥିବାବେଳେ ତା’ ଠାରୁ ଉକ୍ତ ମୋବାଇଲକୁ ପୁଲିସ ଜବତ କରିଛି ବୋଲି ଅଧିକାରୀ ଇନ୍ସପେକ୍ଟର ଅନିତା ସାହୁ କହିଛନ୍ତି।