ଶେଖ୍ ମୁଜିବ, ସୁଲତାନ କ୍ୱାବୁସଙ୍କୁ ଗାନ୍ଧୀ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ,ଏଜେନ୍ସି: ବାଂଲାଦେଶର ଜନକ ସ୍ୱର୍ଗତ ଶେଖ ମୁଜିବୁର ରେହମାନ ଓ ଓମାନର ଶାସକ ସ୍ୱର୍ଗତ ସୁଲତାନ କ୍ୱାବୁସ ବିନ୍ ସୟଦ ଅଲ୍ ସୟଦଙ୍କୁ ମରଣୋତ୍ତରଭାବେ ଆନ୍ତର୍ଜାତିକ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ ବୋଲି ଭାରତ ସରକାର ସୋମବାର ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଶେଖ ମୁଜିବଙ୍କୁ ୨୦୨୦ ଓ କ୍ୱାବୁସଙ୍କୁ ୨୦୧୯ ବର୍ଷ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। ପ୍ରଥମ ଥର ଏହି ସମ୍ମାନଜନକ ପୁରସ୍କାର ମରଣୋତ୍ତରଭାବେ ପ୍ରଦାନ କରାଯିବ। ୨୦୧୮ରେ ଜାପାନୀ ସମାଜସେବୀ ୟୋହେଇ ସାସାକାୱାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିବାବେଳେ କୋଭିଡ୍ ଯୋଗୁଁ ଗତବର୍ଷ ପୁରସ୍କାର ଦିଆଯାଇପାରିନଥିଲା। ପୁରସ୍କାର ବିଜେତାଙ୍କୁ ଏକ ମାନପତ୍ର ସମେତ ନଗଦ ୧ କୋଟି ଟଙ୍କା, ପାରମ୍ପରିକ ଭାରତୀୟ ହସ୍ତତନ୍ତ ସାମଗ୍ରୀ ଓ ମୋମେଣ୍ଟୋ ପ୍ରଦାନ କରାଯାଇଥାଏ। ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୬ରେ ବାଂଲାଦେଶ ଗସ୍ତରେ ଯାଉଥିବାବେଳେ ଶେଖ ମୁଜିବଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବା ପ୍ରସଙ୍ଗ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜଭୁତ କରିବ ବୋଲି ଆଶା କରାଯାଉଛି। ଗସ୍ତ ସମୟରେ ମୋଦୀ ବାଂଲାଦେଶ ରାଜଧାନୀ ଢାକାଠାରୁ ୪୦୦ କିମି ଦୂର ଟୁଙ୍ଗିପାଡାଠ।।ରେ ଥିବା ଶେଖ ମୁଜିବଙ୍କ ସମାଧିସ୍ଥଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ୧୯୭୧ରେ ପାକିସ୍ତାନ କବଳରୁ ପୂର୍ବ ପାକିସ୍ତାନକୁ ସ୍ୱାଧୀନ କରିବାକୁ ଶେଖ ମୁଜିବ ‘ବାଂଲାଦେଶ ମୁକ୍ତି ବାହିନୀ’ ଗଠନ କରି ସଂଗ୍ରାମ ଚଳାଇଥିଲେ। ତେବେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ୧୯୭୧ ଡିସେମ୍ବର ୧୬ରେ ସ୍ୱତନ୍ତ୍ର ବାଂଲାଦେଶ ଗଠନ କରାଯାଇଥିଲା। ଶେଖ ମୁଜିବ ବାଂଲାଦେଶର ପ୍ରଥମ ରାଷ୍ଟ୍ରପତି (୧୯୭୧-୭୨) ଓ ପ୍ରଥମ ପ୍ରଧାନମନ୍ତ୍ରୀଭାବେ (୧୯୭୫) କାର୍ଯ୍ୟ କରିଥିବାବେଳେ ୧୯୭୫ ଅଗଷ୍ଟ ୧୫ରେ ତାଙ୍କୁ ହତ୍ୟା କରାଯାଇଥିଲା। ଅପରପକ୍ଷରେ ସୁଲତାନ କ୍ୱାବୁସ୍ ୧୯୭୦ ପିତାଙ୍କୁ ଗାଦିଚ୍ୟୁତ କରି ମଧ୍ୟପ୍ରାଚ୍ୟ ରାଷ୍ଟ୍ର ଓମାନର ଶାସକଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଆରବ ଶାସକଭାବେ ସବୁଠାରୁ ଅଧିକ ସମୟ କ୍ଷମତା ଭୋଗ କରିଥିବା କ୍ୱାବୁସ ୨୦୨୦ ଜାନୁଆରୀରେ ପ୍ରାଣ ହରାଇଥିଲେ।