ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି ୧୧୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୬୭ଜଣ ଓ ସ୍ଥାନୀୟ ସଂକ୍ରମଣ ୪୬ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୯ହଜାର ୭୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୨୦, କଟକରୁ ୧୭, ଖୋର୍ଦ୍ଧାରୁ ୧୪, ମୟୁରଭଞ୍ଜରୁ ୧୧, କଳାହାଣ୍ଡିରୁ ୭, ଅନୁଗୁଳ ଓ ଜଗତସିଂହପୁରରୁ ୫ ଲେଖାଏଁ, ଯାଜପୁର, ଝାରସୁଗୁଡ଼ା ଓ ନୂଆପଡ଼ାରୁ ୪ ଲେଖାଏଁ, ବଲାଙ୍ଗିର, କେନ୍ଦ୍ରାପଡ଼ା, ସମ୍ବଲପୁର ଓ ଷ୍ଟେଟପୋଲରୁ ୩ ଲେଖାଏଁ, ବାଲେଶ୍ୱର ଓ କେଉଁଝରରୁ ୨ ଲେଖାଏଁ, ବରଗଡ଼, ବୌଦ୍ଧ, ଢେଙ୍କାନାଳ, ଗଜପତି, କୋରାପୁଟ ଓ ରାୟଗଡ଼ାରୁ ଜଣେ ଲେଖାଏଁ ରହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮୮ଲକ୍ଷ ୩୫ହଜାର ୫୫୧ଜଣଙ୍କ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୩୯ହଜାର ୭୬ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୩ଲକ୍ଷ ୩୬ହଜାର ୨୦୬ଜଣ ସୁସ୍ଥ ହୋଇଛନ୍ତି, ୧୯୧୯ଜଣଙ୍କର ମୃତ୍ୟୁ ଘଟିଛି ଓ ୮୯୮ ଜଣ ଚିକିତ୍ସିତ ହେଉଛନ୍ତି।