ଜୟପୁର,ଏଜେନ୍ସି: ରାଜସ୍ଥାନର ବିକାନେର ଜିଲ୍ଲାର ହିମ୍ମର୍ଶୀ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଶସ୍ୟ ସଂରକ୍ଷଣ ପାତ୍ରରେ ପଡି ଚାଲିଯାଇଛି ୫ ଅବୋଧ ଶିଶୁଙ୍କ ଜୀବନ। ଏହି ପାତ୍ରରେ ପଡିଯିବା ପରେ ସେମାନଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ଜଣାପଡିଛି।
ସୂଚନା ଅନୁସାରେ ଉକ୍ତ ୫ ଜଣ ଶିଶୁ ଘରେ ଖେଳୁଥିବା ସମୟରେ ଲୁହା ଶସ୍ୟ ସଂରକ୍ଷଣ ପାତ୍ରରେ ପ୍ରବେଶ କରିଥିଲେ। ସେମାନେ ଏହି ପାତ୍ରରେ ପ୍ରବେଶ କରିବା ପରେ ଆଉ ତାହା ମଧ୍ୟରୁ ବାହାରିପାରିନଥିଲେ। ଏହି ଘଟଣା ଘଟିବା ସମୟରେ ଘରେ କେହି ନଥିବାରୁ ସେମାନଙ୍କୁ କେହି ବଞ୍ଚାଇପାରିନଥିଲେ। ଫଳରେ ଅଧିକ ସମୟ ଉକ୍ତ ପାତ୍ରରେ ରହିବା ପରେ ଶ୍ୱାସରୁଦ୍ଧ ହୋଇ ସେମାନଙ୍କ ମୃତ୍ୟୁ ଘଟିଛି। ୫ ଜଣଙ୍କ ମଧ୍ୟରୁ ୪ ଜଣ ଝିଅ ଥିବା ବେଳେ ଜଣେ ପୁଅ ଥିଲା। ଏମାନଙ୍କ ମଧ୍ୟରୁ ୪ ଜଣ ଗୋଟିଏ ମା’ ର ସନ୍ତାନ ବୋଲି ସ୍ଥାନୀୟ ପୁଲିସ ସର୍କଲ ଅଫିସର ପୱନ ଭଦୌରିଆ କହିଛନ୍ତି।
ପୁଲିସର କହିବା ମୁତାବକ ଭୀୟାରାମ ଓ ତାଙ୍କ ପତ୍ନୀ ପ୍ରାୟ ଅପରାହ୍ଣ ୨ଟା ୩୦ରେ ବିଲରୁ କାମ ସାରି ଫେରିବା ପରେ ପିଲାମାନଙ୍କୁ ନ ପାଇ ଏଣେତେଣେ ଖୋଜିଥିଲେ। ବହୁ ସମୟ ଖୋଜାଖୋଜି କରିବା ପରେ ପ୍ରାୟ ଅପରାହ୍ଣ ୪ଟା ସମୟରେ ଶିଶୁଙ୍କୁ ଶସ୍ୟ ସଂରକ୍ଷଣ ପାତ୍ର ମଧ୍ୟରୁ ମୃତ ଅବସ୍ଥାରେ ପାଇଥିଲେ। ମୃତ ୫ ଜଣ ଶିଶୁଙ୍କ ମଧ୍ୟରୁ ଭୀୟାରାମଙ୍କ ୪ଟି ସନ୍ତାନ ହୋଇଥିବା ବେଳେ ଆଉ ଜଣେ ତାଙ୍କ ପୁତୁରା ବୋଲି ଜଣାପଡିଛି।