ଦନ୍ତେୱାଡା,ଏନ୍ଏନ୍ଏସ୍: ଛତିଶଗଡ଼ ରାଜ୍ୟର ଦନ୍ତେୱାଡାରେ ପୁଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ୨ ଜଣ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ପୁଲିସ ୨ ହାର୍ଡକୋର ମାଓବାଦୀଙ୍କ ମୃତଦେହ ଜବତ କରିଥିବା ବେଳେ, ଟିଫିନ୍ ବୋମା, ବନ୍ଧୁକ ସହ ମାଓ ସାମଗ୍ରୀ ଜବତ କରାଯାଇଛି।
ସୂଚନା ଅନୁସାରେ, ବଡେଗୁଡରା ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବାର ଏକ ବିଶେଷ ସୂତ୍ରରୁ ଖବରପାଇ ଅତର୍କିତ ଚଢ଼ଉ କରିଥିଲେ ପୁଲିସ ଓ ଡିଆରଜି ଯବାନ। ଯବାନଙ୍କୁ ଦେଖିବା ମାତ୍ରେ ପ୍ରଥମେ ଗୁଳି ଚଳାଇଥିଲେ ମାଓବାଦୀ। ଯାହାର ପାଲଟା ଜବାବ ଦେଇଥିଲେ ଯବାନ। ପୁଲିସ ଓ ଯବାନଙ୍କ ପାଲଟା ଗୁଳିରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ଏହି ଗୁଳି ବିନିମୟରେ ଦୁଇ ହାର୍ଡକୋର ମାଓବାଦୀଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁବରଣ କରିଥିବା ମାଓବାଦୀମାନେ ହେଲେ କଟେକଲ୍ୟାଣ ଏରିଆ କମିଟିର ଡେପୁଟି କମାଣ୍ଡର ମାଡବି ହିଡମା ଏବଂ ମିଲିସିଆ କମାଣ୍ଡର ଦୁସରା ଆଇତା।
ମାଡବି ହିଡମା ନାଁରେ ସରକାର ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିବା ବେଳେ, ଦୁସରା ଆଇତା ନାଁରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ଗୁଳି ବିନିମୟ ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ ଅପରେସନକୁ ଜୋରଦାର କରାଯାଇଛି। ଘଟଣାସ୍ଥଳରୁ ବିପୁଳ ପରିମାଣର ମାରଣାସ୍ତ୍ର ସହ ମାଓ ସାମଗ୍ରୀ ଜବତ ହୋଇଛି। ଏକ ବଡ଼ ଧରଣର ଆକ୍ରମଣ ପାଇଁ ମାଓବାଦୀମାନେ ଷଡ଼ଯନ୍ତ୍ର କରୁଥିବା ବେଳେ ପୁଲିସ ଏହାକୁ ବିଫଳ କରିଛି।