ବେଆଇନ ଦେଶୀ ରନ୍ଧା ମଦ ଜବତ, ୪ ଗିରଫ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ଆଜି ଦେବଗଡ଼ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୨ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ମହୁଲ ପୋଚ ନଷ୍ଟ କରିବା ସହ ପ୍ରାୟ ୩୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି। ସେହିପରି ବେଆଇନ ମଦ ପ୍ରସ୍ତୁତ କାରବାର ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି।

ବଡ଼ଛାପଲ ଗ୍ରାମର ବିଜୟ କିସାନ ଓ ଘନ କିସାନ, ଗୌଡନାଲି ଗ୍ରାମର କନକ କିସାନ ଏବଂ ପୁରକୁଣ୍ଡା ଗ୍ରାମର ଗୁରୁଚରଣ ହସ୍ତି ଉପରୋକ୍ତ ଗ୍ରାମ ଗୁଡିକରେ ବେଆଇନ ଦେଶୀ ରନ୍ଧା ମଦ କାରବାର ଚଳାଉଥିବା ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଥିଲା। ଏନେଇ ଆଜି ସକାଳୁ ଅବକାରୀ ନୀରିକ୍ଷକ ପଦ୍ମଲୋଚନ ପ୍ରଧାନଙ୍କ ନେତୃତ୍ୱରେ ଅବକାରୀ ବିଭାଗ କର୍ମଚାରୀମାନେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଉପରୋକ୍ତ ଗୌଡନାଲି ଏବଂ ପୁରକୁଣ୍ଡା ଗ୍ରାମର ଅଭିଯୁକ୍ତମାନଙ୍କ ଠାରୁ ୩୦ ଲିଟରରୁ ଊର୍ଦ୍ଧ୍ୱ ମଦ ଜବତ କରାଯିବା ସହ ୬୦ କେଜି ପୋଚ ନଷ୍ଟ କରାଯାଇଥିଲା। ସେହିପରି ବଡ଼ଛାପଲ ଗ୍ରାମର ଏକ ସ୍ଥାନରୁ ବେଆଇନ ଗଚ୍ଛିତ ଦେଢ଼ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ମହୁଲ ପୋଚ ଏବଂ ମଦ ରନ୍ଧା ସରଞ୍ଜାମ ଜବତ ହୋଇଛି। ଏଥିସହିତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି।