ଅଜଣା ଗାଡ଼ି ଧକ୍କାରେ ୨ ମୃତ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଥାନା ଅନ୍ତର୍ଗତ କୁଟିଳି ଗାଁ ନିକଟରେ ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କର ମୃତ୍ୟୁ ହୋଇଛି। ସେମାନେ ହେଲେ କୁଟୁଳି ପଞ୍ଚାୟତ ମିନାପାଇ ଗାଁର ବିକାଶ ମିଣିଆକା(୨୩) ଏବଂ ନାକଟି ପଞ୍ଚାୟତ କୁଡ଼ୁଲେଲେରି ଗାଁର ସାହୁ ପେରେପେଙ୍ଗା(୨୫)। ସେମାନେ କୁଟୁଲି ପଞ୍ଚାୟତ କାର୍ଯ୍ୟାଳୟକୁ ପିଡିଏସ୍ ଚାଉଳ ନେବାକୁ ଆସୁଥିଲେ। ସେହି ସମୟରେ ବିପରୀତ ଦିଗ ଅର୍ଥାତ ରାୟଗଡ଼ା ପଟୁ କୋରାପୁଟ ଆଡ଼କୁ ଯାଉଥିବା ଏକ ନମ୍ବର ବିହୀନ ଇନୋଭା ଗାଡ଼ି ସମ୍ନାପଟୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଯିବାରୁ ରାୟଗଡ଼ା ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଏକ ପୁଲିସ୍ ଟିମ ପହଞ୍ôଚ ଲୋକଙ୍କୁ ବୁଝାସୁଝା କରି ଶବ ଦୁଇଟିକୁ ବ୍ୟବଛେଦ ପାଇଁ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି। ସେପଟେ ମୃତକଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ଅନ୍ତ୍ୟେଷ୍ଟି ପାଇଁ ରାୟଗଡ଼ା ପଞ୍ଚାୟତ ସମିତି ପକ୍ଷରୁ ଦୁଇ ହଜାର ଟଙ୍କା ଲେଖାଏଁ ଯୋଗାଇ ଦିଆଯାଇଥିବା କହିଛନ୍ତିି ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୃସିଂହନାଥ ପଟ୍ଟନାୟକ।