ଅହମ୍ମଦାବାଦ,ଏଜେନ୍ସି: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟି-୨୦ ସିରିଜର ତୃତୀୟ ମ୍ୟାଚରେ ପୁଣିଥରେ ଘରୋଇ ଦଳ ଭାରତକୁ ପରାସ୍ତ କରିଛି। ଫଳରେ ଇଂଲଣ୍ଡ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ୨-୧ରେ ଆଗୁଆ ରହିଛି। ପ୍ରଥମେ ବ୍ୟାଟିଂ ପାଇ ଭାରତ ୬ ୱିକେଟ୍ ହରାଇ ୧୫୬ ରନ୍ କରିବା ପରେ ଇଂଲଣ୍ଡ ୧୮.୨ ଓଭରରେ ମାତ୍ର ୨ଟି ୱିକେଟ୍ ହରାଇ ୧୫୮ ରନ୍ କରି ସହଜ ବିଜୟ ହାସଲ କରିଥିଲା। ଇଂଲିଶ୍ ଓପନର୍ ଜୋସ୍ ବଟଲର୍ ରେକର୍ଡ ଅପରାଜିତ ୮୩ ରନ୍ କରିବା ସହ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଚତୁର୍ଥ ମ୍ୟାଚ୍ ଆସନ୍ତା ଗୁରୁବାର ଖେଳାଯିବ।
ଗତ ଦୁଇଟି ମ୍ୟାଚ୍ରେ ବିଫଳ ଥିବା ଲୋକେଶ ରାହୁଲ୍ ମଙ୍ଗଳବାର ଶୂନରେ ଆଉଟ୍ ହୋଇଥିଲେ। ସୂର୍ଯ୍ୟ କୁମାର ଯାଦବଙ୍କ ବଦଳରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ଉପଅଧିନାୟକ ରୋହିତ ଶର୍ମା ମଧ୍ୟ ୧୫ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ। ଗତ ମ୍ୟାଚରେ ଅର୍ଦ୍ଧଶତକ ଅର୍ଜନ କରି ପ୍ରଶଂସା ସାଉଁଟିଥିବା ଯୁବ ବ୍ୟାଟ୍ସମ୍ୟାନ୍ ଈଶାନ୍ କିଶନ୍ ମାତ୍ର ୪ ରନ୍ କରିଥିଲେ। ଦଳ ୨୪ ରନ୍ ମଧ୍ୟରେ ୩ଟି ୱିକେଟ୍ ହରାଇଥିଲେ ହେଁ ଅଧିନାୟକ କୋହଲି ଓ ଋଷଭ ପନ୍ତଙ୍କ ମଧ୍ୟରେ ୪୦ ରନର ଭାଗୀଦାରୀ ହୋଇଥିଲା। ପନ୍ତ୍ ୩ଟି ଚୌକା ସହ ୨୫ ରନ୍ କରି ଆଉଟ୍ ହେବା ପରେ କୋହଲି ୪୬ ବଲରେ ୮ଟି ଚୌକା ଓ ୪ଟି ଛକା ଜରିଆରେ ଦଳୀୟ ସ୍କୋରକୁ ୧୫୬ରେ ପହଞ୍ଚାଇଥିଲେ।