ମୋତେ ହତ୍ୟା କରିବାକୁ ବିଜେପି ଷଡ଼ଯନ୍ତ୍ର କରିଛି : ମମତା

କୋଲକାତା,ଏଜେନ୍ସି: ବିଜେପି ମୋତେ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଛି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଏକ ନିର୍ବାଚନୀ ରାଲିରେ ବିସ୍ଫୋରକ ବୟାନ ଦେଇଛନ୍ତି। ବାଙ୍କୁରା ଠାରେ ଏକ ରାଲିକୁ ସମ୍ବୋଧିତ କରି ମମତା କହିଛନ୍ତି, ଦିଲ୍ଲୀ ସୀମାରେ କୃଷକମାନେ ଧାରଣାରେ ବସି ରହିଥିଲାବେଳେ ବିଜେପି ମନ୍ତ୍ରୀମାନେ ଏବେ ପଶ୍ଚିମବଙ୍ଗରେ ଡେରା ପକାଇଛନ୍ତି। ସେ କହିଛନ୍ତି, ଛ’ ମାସ ହେଲା କୃଷକମାନେ ଆନ୍ଦୋଳନ ଚଳାଇଛନ୍ତି। କିନ୍ତୁ ବିଜେପିର ମନ୍ତ୍ରୀମାନେ ବିଭିନ୍ନ ହୋଟେଲ ବୁକ୍ କରି ଏଠାରେ ଡେରା ପକାଇ ମୋତେ ହତ୍ୟାକରି ତୃଣମୂଳ କଂଗ୍ରେସକୁ ଧ୍ୱଂସ କରିବାକୁ ଷଡ଼ଯନ୍ତ୍ର ଚଳାଇଛନ୍ତି। ସେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ୍ କରି କହିଛନ୍ତି, ବିଜେପି ନେତା ଏବେ ହତାଶ ହୋଇପଡ଼ିଛନ୍ତି। ତାଙ୍କ ରାଲିରେ ଅଧିକ ସଂଖ୍ୟାରେ ଜନସାଧାରଣ ଭାଗ ନେଉନଥିବାରୁ ସେ ହତୋତ୍ସାହିତ ହୋଇପଡ଼ିଲେଣି। କିନ୍ତୁ ମୋତେ ହତ୍ୟାକରି ସେମାନେ ନିର୍ବାଚନ ଜିଣିପାରିବେ କି ବୋଲି ମମତା ବିଜେପିକୁ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା ମଙ୍ଗଳବାର ବିଷ୍ଣୁପୁରରେ ଦଳୀୟ ରାଲି କରି ମମତାଙ୍କୁ କଡ଼ା ସମାଲୋଚନା କରିଛନ୍ତି।