ଯୌନ ନିର୍ଯାତନା ଅଭିଯୋଗରେ ୮୦ ବର୍ଷୀୟ ଦମ୍ପତ୍ତିଙ୍କୁ ୧୦ ବର୍ଷ କାରାଦଣ୍ଡ

ମହାରାଷ୍ଟ୍ର,ଏଜେନ୍ସି: ଜଣେ ବୃଦ୍ଧ ଦମ୍ପତି ତାଙ୍କ ପଡ଼ୋଶୀ ଘରର ୪ ବର୍ଷର ଶିଶୁ କନ୍ୟାକୁ ଯୌନ ନିର୍ଯାତନା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ୧୦ ବର୍ଷ ଜେଲ ଦଣ୍ଡାଦେଶ ପାଇଛନ୍ତି। ଏହି ମାମଲାଟି ୨୦୧୩ ମସିହାରୁ କୋର୍ଟରେ ଚାଲିଥିଲା। ଏହି କେସର ଶୁଣାଣି କରି ପୋକ୍ସୋ କୋର୍ଟର ବିଚାରପତି ରେଖା ଏନ ପଣ୍ଡା କହିଛନ୍ତି ଯେ, ଅଭିଯୁକ୍ତ ତାଙ୍କ ଜେଜେ ବାପା ବୟସର। ପୁଲିସକୁ ଦେଇଥିବା ବିବୃତ୍ତିରେ ଝିଅଟି କହିଛି ଯେ, ସେ ୨୦୧୩ ମସିହା ସେପ୍ଟେମ୍ବର ୪ ତାରିଖରେ ସ୍କୁଲରୁ ଫେରିବା ପରେ ଖାଦ୍ୟ ଖାଇ ଟିଭିରେ କାର୍ଟୁନ୍ ଦେଖୁଥିଲେ। ମଧ୍ୟାହ୍ନରେ ସେ ନିଜ ବିଲ୍ଡିଂର ଚତୁର୍ଥ ମହଲାକୁ ଜଣେ ସାଙ୍ଗଙ୍କ ସହ ଖେଳିବାକୁ ଯାଇଥିଲେ।

ସେ କହିଛନ୍ତି ଯେ ତାଙ୍କ ସାଙ୍ଗ ଶୋଇଥିବା ବେଳେ ସେ ଘରକୁ ଫେରୁଥିଲେ, କିନ୍ତୁ ତାଙ୍କୁ ‘ଦାଦା-ଦାଦି’ ଦୁହେଁ ଡାକିନେଇଥିଲେ। ଏହା ପରେ ବୃଦ୍ଧ (୮୨) ଜଣଙ୍କ ଝିଅଟିକୁ ଘର ଭିତରକୁ ନେଇଯାଇଥିଲେ। ସେଠାରୁ ଝିଅଟି ଯିବାକୁ ବାହାରିବାରୁ ତାକୁ ମାଡ଼ ମାରିବା ସହ ତାର ପୋଷାକ ଖୋଲି ଯୌନ ନିର୍ଯାତନା ଦେଇଥିଲେ। ବୃଦ୍ଧା(୮୧) ଜଣଙ୍କ ମଧ୍ୟ ଏହି କାମରେ ବୃଦ୍ଧଙ୍କୁ ସାହାଯ୍ୟ କରିଥିଲେ ବୋଲି ଝିଅଟି ଅଭିଯୋଗ କରିଥିଲା। ତାଙ୍କ ମାଆ ତାଙ୍କ ବିବୃତ୍ତିରେ କହିଥିଲେ ଯେ ସେ କାମ ସାରି ଘରକୁ ଫେରି ରାତି ପ୍ରାୟ ୧୦ଟା ସମୟରେ ଝିଅକୁ ଶୋଇବାକୁ ନେଉଥିବା ସମୟରେ ଝିଅଟି ତାଙ୍କୁ ଏ ବିଷୟରେ କହିଥିଲା। ସେ ତୁରନ୍ତ ତାଙ୍କ ସ୍ୱାମୀଙ୍କୁ ଜଣାଇବା ସହ ପୁଲିସ ନିକଟରେ ମାମଲା ରୁଜୁ କରିଥିଲେ। ଏହା ପର ଦିନ ବୃଦ୍ଧ ଦମ୍ପତ୍ତିଙ୍କୁ ଗିରଫ କରାଯାଇଥିଲା।