୪ ଜିଲ୍ଲାରେ ଲକଡାଉନ୍ ଓ ୯ ସହରରେ ନାଇଟ କର୍ଫ୍ୟୁ

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଭାରତରେ କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୩ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ର ଏବଂ କେରଳ ସମେତ ଛଅ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସ୍ଥିତିରେ ମହାରାଷ୍ଟ୍ରରେ ୭୦୭୬, ପଞ୍ଜାବରେ ୬୬୭, କର୍ଣ୍ଣାଟକରେ ୩୪୫, ଗୁଜରାଟରେ ୨୩୯, ହରିୟାଣାରେ ୨୫୯, ଛତିଶଗଡ଼ରେ ୧୯୨ ଏବଂ ରାଜଧାନୀ ଦିଲ୍ଲୀରେ ୧୨୦ ମାମଲା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ୪ ଜିଲ୍ଲାରେ ଲକ୍ଡାଉନ ଓ ୯ ସହରରେ ରାତ୍ରୀକାଳୀନ କର୍ଫ୍ୟୁ ଲଗାଯାଇଛି। ସଂକ୍ରମଣ ବଢ଼ୁଥିବା ଦୃଷ୍ଟିରୁ ମହାରାଷ୍ଟ୍ରର ଆକୋଲାରେ ଶୁକ୍ରବାର ରାତି ୮ଟାରୁ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି। ଏହା ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ସେହିପରି ମହାରାଷ୍ଟ୍ରର ପରଭଣୀ ଜିଲ୍ଲାରେ ଶୁକ୍ରବାର ରାତି ୧୨ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଲକଡାଉନ ଲଗାଇବା ଲାଗି ଘୋଷଣା କରାଯାଇଛି। ସେହିପରି ପୁନେରେ ମଧ୍ୟ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯାଇଛି। ଏଥିପୂର୍ବରୁ ମହରାଷ୍ଟ୍ର ସରକାର ନାଗପୁରରେ ମାର୍ଚ୍ଚ ୧୫ରୁ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଲକଡାଉନ ଲଗାଇବା ଲାଗି ଘୋଷଣା କରିଛନ୍ତି।