ପରିମଳ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ୧୦ କୋଟି ଟଙ୍କା ବିନିଯୋଗ କରାଯିବ: ମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଂଚଳରେ ପରିମଳ ବ୍ୟବସ୍ଥାର ପୁନରୁଦ୍ଧାର କରାଯିବା ପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ ହୋଇଛି। ଯେଉଁଥିରେ ୧୦ କୋଟି ଟଙ୍କା ବିନିମୟରେ ମାର୍ଶାଘାଇ ଡ୍ରେନେଜ ଡିଭିଜନ ଜରିଆରେ ଗୋବରୀ ଡ୍ରେନେଜ୍ କଟ୍ ର ପୁନରୁଦ୍ଧାର କରାଯିବ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି ।

ଗୁରୁବାର ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ଲୋକସେବା ଭବନଠାରେ ଆୟୋଜିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଜେନା କହିଲେ ଯେ, ପଟ୍ଟାମୁଣ୍ଡାଇ ବଜାର ସ୍ଥିତ ପୋଲଠାରୁ ବକତାରପୁର ପର୍ୟ୍ୟନ୍ତ ମୁଖ୍ୟ ଡ୍ରେନଟି କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଜନ ଜରିଆରେ ନିର୍ମାଣ କରାଯିବ ଓ ୨୦ଟି ୱାର୍ଡରେ ଥିବା ସଯୋଗୀକରଣ ଡ୍ରେନ ଗୁଡ଼ିକ ପୌର ପରିଷଦ ଜରିଆରେ ହେବ ।

ପଟ୍ଟାମୁଣ୍ଡାଇ ଐତିହ୍ୟସମ୍ପନ୍ନ କଚେରୀ ପୋଖରୀର ପୁନରୁଦ୍ଧାର ଓ ସୌନ୍ଦର୍ୟ୍ୟକରଣ ପାଇଁ ଓୟୁଡିଆଇ ଫଣ୍ଡରୁ ୧.୫ କୋଟି ମଂଜୁର କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ସେହିଭଳି ଯଜ୍ଞ ପଡ଼ିଆରେ ବହୁତଳ ମାର୍କେଟ୍ କମ୍ପେଲକ୍ସ ପାଇଁ ୩ କୋଟି, ସ୍ମାର୍ଟ ପାର୍କ ନିର୍ମାଣ ପାଇଁ ୧.୫ କୋଟି ସ୍ମାର୍ଟ ଶ୍ମସାନ ପାଇଁ ୭୫ ଲକ୍ଷ ଟଙ୍କା ମଂଜୁର ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ପୌର ପରିଷଦର ନୂଆ ଗୃହ ନିର୍ମାଣ, ବସ୍ତି ନିକଟରେ ପରେଡ଼୍ ପଡ଼ିଆର ଉନ୍ନତିକରଣ, ପଟ୍ଟାମୁଣ୍ଡାଇ ବଜାର ଚତୁପାଶ୍ୱର୍ରେ ରିଙ୍ଗରୋଡ଼ ନିର୍ମାଣ, ଏଲଇଡ଼ି ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା ଓ ୨୦ଟି ଯାକ ୱାର୍ଡରେ କଂକ୍ରିଟ୍ ରାସ୍ତା ନିର୍ମାଣ ପାଇଁ ବୈଠକରେ ନିଷ୍ପତି ଦେବା ସହ ଡିପିଆର ପ୍ରସ୍ତୁତ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଅଳଭା ଜଳ ବିଶୋଧନାଗାର ପ୍ରକଳ୍ପର ସମସ୍ତ ନିର୍ମାଣ କାର୍ୟ୍ୟ ଶେଷ କରି ଅକ୍ଟୋବର ପ୍ରଥମ ସପ୍ତାହରେ ମନ୍ତ୍ରୀ ଲୋକାର୍ପଣ କରିବା ପାଇଁ ବୈଠକରେ ନିଷ୍ପତି ଗ୍ରହଣ କରାଗଲା ।