ମହାକାଶରେ ଶୁଭିବ ଗୀତାର ସ୍ୱର, ଇସ୍ରୋ ଆଜି ଉତକ୍ଷେପଣ କରିବ ପିଏସ୍‌ଏଲ୍‌ଭି-ସି୫୧

ନୂଆଦିଲ୍ଲୀ,ଏଜେନ୍ସି: ଆତ୍ମନିର୍ଭର ଭାରତ ଲାଗି ଆଜି ଐତିହାସିକ ଦିନ। ମହାକାଶରେ ମଧ୍ୟ ଜୟ ହିନ୍ଦ ସ୍ୱର ଶୁଭିବ। ଇସ୍ରୋର ପୋଲାର ସାଟେଲାଇଟ ଲଞ୍ଚ ଭେଇକିଲ୍ସ ଏଥର ନିଜ ସହିତ ଉପଗ୍ରହ ବ୍ୟତୀତ ଭଗବତ ଗୀତାର ଏକ ଇଲେକଟ୍ରୋନିକ କପି ନେଇ ମହାକାଶକୁ ଯିବାକୁ ପ୍ରସ୍ତୁତ ହୋଇସାରିଛି। ସକାଳ ୧୦ଟା ୨୪ ମିନିଟରେ ଶ୍ରୀହରିକୋଟାରୁ ପିଏସ୍‌ଏଲଭି-ସି୫୧ ଲଞ୍ଚ ହେବ।

ଇସ୍ରୋର ବୟାନ ଅନୁସାରେ ପିଏସ୍‌ଏଲ୍‌ଭି-ସି୫୧ର ୫୩ ତମ ମିଶନ। ଏହି ରକେଟ ଜରିଆରେ ବ୍ରାଜିଲର ଅମେଜୋନିଆ-୧ ଉପଗ୍ରହ ସହିତ ୧୮ଟି ଅନ୍ୟ ଉପଗ୍ରହ ମଧ୍ୟ ମହାକାଶକୁ ପଠାଯିବ। ଏହି ରକେଟକୁ ଚେନ୍ନାଇ ଠାରୁ ୧୦୦ କିଲୋମିଟର ଦୂର ଶ୍ରୀହରୀକୋଟାରୁ ଉତକ୍ଷେପଣ କରାଯିବ। ଏହି ଉପଗ୍ରହରେ ଚେନ୍ନାଇର ସ୍ପେସ କିଡଜ ଇଣ୍ଡିଆର ସତୀଶ ଧୱନ ଏସ୍‌ଏଟି ସାମିଲ ରହିଛି।

ଏସ‌କେଆଇ ଏସ‌ଡି (ସୁରକ୍ଷିତ ଡିଜିଟାଲ) କାର୍ଡରେ ଡିଜିଟାଲ ଭଗବତ ଗୀତା ପଠାଯାଉଛି। ଏଥି ସହିତ ଏହି ଉପଗ୍ରହ ୨୫ ହଜାର ଭାରତୀୟ ଲୋକଙ୍କ ନାମକୁ ନେଇ ମହାକାଶ ଅଭିମୁଖେ ଯାତ୍ରା କରିବ। ଇସ୍ରୋର ବାଣିଜ୍ୟ ଶାଖା ନ୍ୟୁସ୍ପେସ ଇଣ୍ଡିଆ ଲିମିଟେଡ ପାଇଁ ମଧ୍ୟ ଏହା ସ୍ୱତନ୍ତ୍ର ଦିନ ଭାବେ ମନେ ରହିବ।