ଭାରତୀୟ ବ୍ୟବସାୟୀ ମହାସଂଘର ବନ୍ଦ ଡାକରାକୁ ମାଲକାନଗିରି ବ୍ୟବସାୟୀଙ୍କ ସମର୍ଥନ

ମାଲକାନଗିରି,ଏନ୍ଏନ୍ଏସ୍: ଜିଏସଟି ସରଳୀକରଣ ସମେତ ଅନ୍ୟାନ୍ୟ ସମସ୍ୟା ସମାଧାନ ଦାବିରେ ଆଜି ଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି। ଏହି ବନ୍ଦ ଡାକରାକୁ ମାଲକାନଗିରି ଜିଲ୍ଲାର ବ୍ୟବସାୟୀମାନେ ସମର୍ଥନ କରି କେନ୍ଦ୍ର ସରକାରଙ୍କୁ ବିରୋଧ କରିଛନ୍ତି। ଏହାର ପ୍ରଭାବରେ ଜିଲ୍ଲା ସଦର ମହକୁମା ସମେତ ଅନ୍ୟ ୭ଟି ବ୍ଲକର ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ଜିଏସଟି ଲାଗୁ ହେବା ପରଠୁ ପ୍ରାୟ ୯ଶହ ଥରରୁ ଅଧିକ ଏହାର ନୀତି ନିୟମରେ ପରିବର୍ତ୍ତନ କରାଯାଇଛି। ଫଳରେ ଛୋଟ ଓ ମଧ୍ୟମ ବ୍ୟବସାୟୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ପରିବର୍ତ୍ତନ ଦ୍ୱାରା ସାଧାରଣ ବ୍ୟବସାୟୀ ଏହାକୁ ବୁଝି ପାରୁନଥିବାରୁ ସିଏ କିମ୍ବା ଟେକ୍ସ ପରାମର୍ଶଦାତାଙ୍କ ଉପରେ ନିର୍ଭର କରୁଛନ୍ତି। ଯଦ୍ୱାରା ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ମାଲକାନଗିରିରେ ନୋଟ ସମସ୍ୟା ଲାଗି ରହିଥିବାବେଳେ ବିଭିନ୍ନ ସମୟରେ ନିୟମ ପରିବର୍ତ୍ତନ ହେଉଥିବାରୁ ଅନଲାଇନରେ ଜବାବ ଦେବା ବ୍ୟବସାୟୀ ଓ ଟ୍ୟାକ୍ସ କନସଲଣ୍ଟାଟଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି। ଫଳରେ ବିଭିନ୍ନ ସମୟରେ ଠିକ ସମୟରେ ଟ୍ୟାକ୍ସ ଦାଖଲ କରି ନପାରି ଜୋରିମାନା ଦେବାକୁ ପଡ଼ୁଛି ବୋଲି ବ୍ୟବସାୟୀ ସୁରେଶ ସୋମାନୀ, ସୁରେନ୍ଦ୍ର ନାଥ ପାଢ଼ୀ, ବିନୋଦ ଟାୱାରୀ ଓ ପ୍ରଭାକର ପାଳ ପ୍ରମୁଖ ପ୍ରକାଶ କରିଛନ୍ତି। ତେଣୁ କେନ୍ଦ୍ର ସରକାରଙ୍କ ଏହି ବ୍ୟବସାୟୀ ମାରଣ ନୀତିକୁ ବିରୋଧ କରିବା ସହ ଏହାକୁ ସରଳୀକରଣ କରିବାକୁ ଦାବୀ କରିଛନ୍ତି।