ବେଆଇନ ଧାନ ଚାଲାଣ ରୋକିଲା ପ୍ରଶାସନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କନକତୋରା ଅଞ୍ଚଳରେ ବିପୁଳ ପରିମାଣର ଧାନ ବେଆଇନ ଭାବରେ ଚାଲାଣ ହେଉଥିବାବେଳେ ପ୍ରଶାସନ ହାତରେ ଧରାପଡ଼ିଥିବା ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଆଜି ସକାଳେ ଏକ ନମ୍ବର ବିହୀନ ଟ୍ରକ୍ଟର ବିନା କଗଜ ପତ୍ରସହ ୫୨.୮୦ କ୍ୱିଣ୍ଟାଲ ଧାନ ନେଇ କନକତୋରା ପଟେ ଯାଉଥିବାବେଳେ ଜିଲ୍ଲା ଯୋଗାଣ ବିଭାଗର କର୍ମଚାରୀ ଓ ପୁଲିସ ହାତରେ ଧରାପଡିଥିଲା। ଟ୍ରାକ୍ଟର ଡ୍ରାଇଭରଙ୍କୁ ଧାନ ବିଷୟରେ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନଥିଲେ। ଏହାସହ ଟ୍ରାକ୍ଟରର କାଗଜପତ୍ର ତଥା ଧାନ ମଣ୍ଡିକୁ ଯାଉଥିବା ନେଇ କୌଣସି କାଗଜ ପତ୍ର ଦେଖାଇ ପାରିନଥିଲେ। ଫଳରେ ଯୋଗାଣ ବିଭାଗ ପକ୍ଷରୁ ଟ୍ରାକ୍ଟର ଓ ଧାନକୁ ଜବତ କରାଯାଇ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ଜିଲ୍ଲାପାଳ ଏନେଇ ଅଧିକ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେବାସହ ଟ୍ରକ୍ଟର ଡ୍ରାଇଭର ମାଲିକ ଓ ଧାନ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଅନ୍ୟବ୍ୟକ୍ତି ବା ବେପାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।