ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ନର୍ସଙ୍କ ଅନୁପସ୍ଥିତି ଯୋଗୁଁ ରୋଗୀମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଆଜି ଚିତ୍ରକୋଣ୍ଡା ବନ୍ଦ ଡକାରା ଦିଆଯାଇଥିଲା। ସୂଚନା ଅନୁସାରେ, ଚିତ୍ରକୋଣ୍ଡା ସାଇମନ୍ଦିର ପଛ ସାହିର ବିଜୁ ନାୟକ(୨୯) ଗତକାଲି ସନ୍ଧ୍ୟାରେ ଚିତ୍ରକୋଣ୍ଡା ଖେଳପଡ଼ିଆରେ କ୍ରିକେଟ ଖେଳ ଦେଖୁଥିବା ବେଳେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ଲାଲ ବାହାଦୂର ଶାସ୍ତ୍ରୀ କ୍ଲବର ଯୁବକମାନେ ଚିତ୍ରକୋଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଏହି ସମୟରେ କେବଳ ଆଟେଣ୍ଡାଣ୍ଟକୁ ଛାଡ଼ି ଡାକ୍ତର ଓ ନର୍ସ ଅନୁପସ୍ଥିତ ଥିଲେ। ଧିରେ ଧିରେ ଯନ୍ତ୍ରଣା ବୃଦ୍ଧି ପାଇବାରୁ ଆଟେଣ୍ଡାଣ୍ଟ ଡାକ୍ତରଙ୍କୁ ଡାକିବାକୁ ଯାଇଥିଲେ। ଏହି ସମୟ ମଧ୍ୟରେ ରୋଗୀଙ୍କ ମୃତ୍ୟୁ ହୋଇଯାଇଥିଲା। ଠିକ୍ ସମୟରେ ଚିକିତ୍ସା ନ ମିଳିବାରୁ ରୋଗୀର ମୃତ୍ୟୁ ଘଟିଥିବା ଅଭିଯୋଗ କରି କ୍ଲବର ସଦସ୍ୟ ଓ ପରିବାର ବର୍ଗ ଅଭିଯୋଗ କରିବା ଫଳରେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା ଲାଗି ରହିଥିଲା।
