ଯନ୍ତ୍ରୀଙ୍କୁ ମାଡ଼ ସହ କର୍ମଚାରୀଙ୍କୁ ଧମକ ଦେବା ଅଭିଯୋଗରେ ବ୍ଲକ୍ ଉପାଧ୍ୟକ୍ଷ ଗିରଫ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ୍ ଉପାଧ୍ୟକ୍ଷ ସନ୍ତୋଷ ଗୁରାଣ୍ଡି ପୁଣି ଥରେ ଗିରଫ ହୋଇଛନ୍ତି। ୨୦୧୯ ମାର୍ଚ୍ଚ ମାସରେ ତତ୍କାଳୀନ ବିଡ଼ିଓ ସରୋଜ ମିଶ୍ରଙ୍କୁ ଅପହରଣ ଅଭିଯୋଗରେ ସେ ଗିରଫ ହୋଇଥିଲେ। ଏବେ ପୁଣି ବ୍ଲକରେ ଆତଙ୍କରାଜ ଚଳାଉଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ପୁଇଁତଳା ପୁଲିସ ତାଙ୍କୁ ଗିରଫ କରିଛି।

ଠିକା କାମକୁ ନେଇ ବ୍ଲକର ଅତିରିକ୍ତ ଯନ୍ତ୍ରୀ ନରେନ୍ଦ୍ର କୁମାର ନାଏକଙ୍କୁ ମାଡ଼ ମାରିବା ସହ ବ୍ଲକ୍ କର୍ମଚାରୀଙ୍କୁ ଧମକ ଚମକ ଦେଉଥିବା ନେଇ ଜିଲ୍ଲାପାଳଙ୍କୁ ପୁଇଁତଳା ବିଡ଼ିଓ ଅବଗତ କରାଇଥିଲେ। ନିଜେ ଯନ୍ତ୍ରୀ ଏନେଇ ପୁଇଁତଳା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ପୁଲିସ ଏହି ଘଟଣାକୁ ଗୁରୁତର ସହ ନେଇ ମାମଲା ରୁଜୁ କରି ସନ୍ତୋଷ ଗୁରାଣ୍ଡିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଇଁତଳା ଗାଁରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ବ୍ଲକ୍ ପରିସରରେ ଭୟର ବାତାବରଣ ଦେଖାଦେଇଛି।