ସାହାସପୁର ହେଲା ବାଲ୍ୟ ବିବାହ ମୁକ୍ତ ଗ୍ରାମ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଲଇକେରା ବ୍ଲକ ଅନ୍ତର୍ଗତ ସାହାପୁର ଗ୍ରାମକୁ ଆଜି ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଭାବେ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରାଯାଇଛି। ଏହି ଅବସରରେ ସାହାସପୁର ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଏକ ସଭାର ଆୟୋଜନ କରାଯାଇ ବାଲ୍ୟ ବିବାହାର କୁପରିଣାମ ଓ ବାଲ୍ୟ ବିବାହ ନିଷେଧ ଆଇନ ଉପରେ ଆଲୋଚନା କରାଯାଇଥିଲା। ବାଲ୍ୟ ବିବାହ କରାଇଲେ ଏହାର ଦଣ୍ଡବିଧାନ ଉପରେ ଆଲୋଚନା କରିବା ସହ ଯେକୌଣସି ବ୍ୟକ୍ତି ବାଲ୍ୟ ବିବାହ ହେଉଥିବାର ଖବର ପାଇଲେ ଚାଇଲ୍ଡ ଲାଇନ, ପୁଲିସ କିମ୍ବା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ଖବର ଦେବା ପାଇଁ ଲୋକଙ୍କୁ ଅବଗତ କରାଯାଇଥିଲା। ଏହାସହ ସାହାସପୁର ଗ୍ରାମରେ ଲୋକେ ସଚେତନ ରହି ଗ୍ରାମରେ ବାଲ୍ୟ ବିବାହକୁ ନିଷିଦ୍ଧ କରିଥିବାରୁ ଏହି ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯାଇଛି। ଏହି ଅବସରରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ ରାଜକୁମାରୀ ସେଠ, ଲଇକେରା ବ୍ଲକ ଅଧ୍ୟକ୍ଷା ରାଜକୁମାରୀ ସେଠ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଙ୍କର କେରକେଟା, ଚାଇଲ୍ଡ ଲାଇନ ଜିଲ୍ଲା ସଂଯୋଜକ ଆଶିଷ କୁମାର ପଣ୍ଡା, ସାହାପୁର ସରପଞ୍ଚ ଜିତେନ୍ଦ୍ର ରଣା, ସମିତି ସଭ୍ୟ ଶୁସାନ୍ତ କୁମାର ନାୟକ, ଖୁନ୍ତାମଲ ସମିତି ସଭ୍ୟ ସୁକାନ୍ତି ଜୟପୁରିୟା ପ୍ରମୁଖଙ୍କ ସହ ଆଖପାଖ ଅଞ୍ଚଳର ଶିକ୍ଷକ ଶିକ୍ଷୟତ୍ରୀ, ବୁଦ୍ଧିଜିବୀ, ଅଙ୍ଗନବାଡି, ଆଶାକର୍ମୀ ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ।