କରୋନା ଔଷଧ ଲଞ୍ଚ କଲେ ରାମଦେବ

ନୂଆଦିଲ୍ଲୀ: କରୋନା ବିରୋଧରେ ଲଢ଼େଇ ଜାରି ରହିଥିବାବେଳେ ଯୋଗଗୁରୁ ବାବା ରାମଦେବ ପତଞ୍ଜଳୀ ଦ୍ୱାରା ନିର୍ମିତ ଏକ କରୋନା ଔଷଧ ଲଞ୍ଚ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ହୋଇଥିବା ଏହି ଲଞ୍ଚ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏବଂ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀ ଉପସ୍ଥିତ ଥିଲେ। ରାମଦେବ କହିଛନ୍ତି ଯେ, ପତଞ୍ଜଳୀର କୋରୋନିଲ ଟ୍ୟାବଲେଟ ଦ୍ୱାରା ଏବେ କୋଭିଡ ରୋଗୀଙ୍କୁ ଚିକିତ୍ସା କରାଯିବ। ଆୟୁଷ ମନ୍ତ୍ରଣାଳୟ ଏହି ଔଷଧକୁ ସ୍ୱୀକାର କରିଥିବା ରାମଦେବ ଦାବି କରିଛନ୍ତି। ଏତଦବ୍ୟତୀତ ରାମଦେବ ପତଞ୍ଜଳୀର ଏହି ଔଷଧର ରିସର୍ଚ୍ଚ ପେପର ମଧ୍ୟ ଜାରି କରିଛନ୍ତି।

ବାବା ରାମଦେବ ଆହୁରି କହିଛନ୍ତି ଯେ, ‘ଯେତେବେଳେ ଆମେ କୋରୋନିଲ ଜରିଆରେ ଲକ୍ଷାଧିକ ଲୋକଙ୍କୁ ଜୀବନଦାନ ଦେବାର କାମ କଲୁ ସେତେବେଳେ ଅନେକ ଲୋକ ପ୍ରଶ୍ନ ଉଠାଇଲେ। କିଛି ଲୋକଙ୍କୁ ଲାଗୁଛି ରିସର୍ଚ୍ଚ କାମ କେବଳ ବିଦେଶରେ ହୋଇପାରିବ। ଆୟୁର୍ବେଦର ରିସର୍ଚ୍ଚ ଉପରେ ସବୁଠୁ ଅଧିକ ସନ୍ଦେହ କରାଯାଏ। କୋରୋନିଲ ଔଷଧ ଉପରେ ଯେଉଁମାନେ ସନ୍ଦେହ କରୁଥିଲେ ଏବେ ତାହାକୁ ଦୂର କରାଯାଇଛି।’

ଅନ୍ୟପଟେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ, ‘ଆୟୁର୍ବେଦର ପ୍ରାମାଣିକତା ଓ ବାବା ରାମଦେବଙ୍କ ଉପରେ କୌଣସି ସନ୍ଦେହ କରାଯିବା ଉଚିତ ନୁହେଁ। ବାବା ରାମଦେବଙ୍କ ସ୍ୱପ୍ନ ହିଁ ଭାରତ ସରକାରଙ୍କ ସ୍ୱପ୍ନ।’