ଉତ୍ତରାଖଣ୍ଡ ହିମସ୍ଖଳନ ଘଟଣା: ଏଯାଏଁ ମିଳିଛି ୬୧ ମୃତଦେହ ଓ ୨୮ ମୃତ ଶରୀରର ଅଙ୍ଗପ୍ରତ୍ୟଙ୍ଗ

ହରିଦ୍ୱାର,ଏଜେନ୍ସି: ଉତ୍ତରାଖଣ୍ଡର ଚମୋଲୀ ଜିଲ୍ଲାର ପ୍ରାକୃତିକ ବିପର୍ଯ୍ୟୟ ସ୍ଥଳରେ ଦୀର୍ଘ ୧୩ ଦିନ ହେବ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆଜି ପର୍ଯ୍ୟନ୍ତ ଘଟଣାସ୍ଥଳରୁ ୬୧ଟି ମୃତଦେହ ଉଦ୍ଧାର ହୋଇସାରିଥିବା ବେଳେ ୨୮ଟି ମୃତ ଶରୀରର ଅଙ୍ଗପ୍ରତ୍ୟଙ୍ଗ ମିଳିଛି। ଆହୁରି ଶତାଧିକ ଲୋକ ନିଖୋଜ ଅଛନ୍ତି। ଯୋଶୀମଠ ସ୍ଥିତ ତପୋବନ ସେନା, ଏନଡିଆରଏଫ, ଏସଡିଆରଏଫ ଓ ଆଇଟିବିପିର ଯବାନମାନେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।

ତପୋବନ ନିକଟରେ ହେଲିକପ୍ଟର ମଧ୍ୟ ପ୍ରସ୍ତୁତ ରହିଛି, ଯଦି କୌଣସି ଜୀବିତ ବ୍ୟକ୍ତିଙ୍କୁ ଠାବ କରାଯାଏ, ତା’ହେଲେ ଖୁବ ଶୀଘ୍ର ଜରୁରୀକାଳୀନ ସୁବିଧା ଦିଆଯିବ। ଜିଲ୍ଲା ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକ ସୁବିଧା ଯୋଗାଇ ଦିଆଯାଇଛି।

ସୂଚନାଯୋଗ୍ୟ, ଉତ୍ତରାଖଣ୍ଡର ଚମୋଲୀ ଜିଲ୍ଲାରେ ଗତ ୭ ତାରିଖ ପୂର୍ବାହ୍ନ ୧୦ଟାରେ ଯୋଶୀମଠ ତପୋବନ ନିକଟରେ ଗ୍ଲାସିୟର ଭାଙ୍ଗି ଅଳକାନନ୍ଦା ନଦୀ ଓ ଧଉଳି ଗଙ୍ଗା ନଦୀରେ ହିମସ୍ଖଳନ ହୋଇଥିଲା।