ମାହାଙ୍ଗା ହତ୍ୟାକାଣ୍ଡ ତଦନ୍ତ ସମ୍ପର୍କରେ ଡିଜିପିଙ୍କୁ ଚିଠି ଲେଖିଲେ ସମୀର ମହାନ୍ତି

ଭୁବେନଶ୍ୱର, ଏନ୍ଏନ୍ଏସ୍: ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରରୋଚନାରେ ଭାରତୀୟ ଜନତା ପାର୍ଟୀର ବରିଷ୍ଠ କାଯ୍ୟକର୍ତ୍ତା ତଥା କଟକ ଜିଲ୍ଲା ମାହାଙ୍ଗା ବ୍ଲକର ପୂବର୍ତନ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ୧୪ ଜଣଙ୍କ ନାଁରେ ଏତଲା ଦିଆଯାଇଥିଲା। କିନ୍ତୁ

ପୁଲିସ ଶାସକ ଦଳ ଚାପରେ ଆଇନମନ୍ତ୍ରୀଙ୍କୁ ଗିରଫ କରିବା ତ ଦୂରର କଥା ତାଙ୍କୁ ତଦନ୍ତ ପରିସରଭୁକ୍ତ କରୁନାହିଁ। ମାହାଙ୍ଗା ବ୍ଲକର ପୂବର୍ତନ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟାକାଣ୍ଡର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଏବଂ ସେମାନଙ୍କୁ ହତ୍ୟା କରିଥିବା ମୁଖ୍ୟ ଅପରାଧୀ ପ୍ରଫୁଲ ବିଶ୍ୱାଳଙ୍କ ସଡ଼କ ଦୁଘର୍ଟଣାର ମୃତ୍ୟୁ ଘଟଣାର ତଦନ୍ତ କରିବା ସହ ରାଜେନ÷ତିକ ହତ୍ୟା ବିରୋଧରେ ପୁଲିସ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛି ତାହା ଏକ ଶ୍ୱେତପତ୍ର ମାଧ୍ୟମରେ ପ୍ରକାଶ କରୁ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଡିଜିପିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଏହା ସହ ରାଜ୍ୟରେ କେତେ ଦିନ ଯାଏଁ ବିଜେପି ନେତାମାନେ ରାଜନୈତିକ ହତ୍ୟାର ଶିକାର ହେବେ ବୋଲି ଶ୍ରୀ ମହାନ୍ତି ଡିଜିପିଙ୍କୁ ପ୍ରଶ୍ନ କରିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଚଳିତବର୍ଷ ଜାନୁଆରୀ ମାସରେ ବିଜେପି ନେତା କୁଳମଣି ବରାଳ ଏବଂ ତାଙ୍କ ସହେଯାଗୀ ଦିବ୍ୟସିଂହ ବରାଳ ବାଇକରେ ଘରକୁ ଫେରୁଥିବାବେଳେ କିଛି ଦୁର୍ବୃତ୍ତ ସେମାନଙ୍କୁ ହତ୍ୟା କରିଥିଲେ। ଏହି ଘଟଣାରେ ୧୨ ଜଣ ଗିରଫ ହୋଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ ବିଶ୍ୱାଳଙ୍କର ରହସ୍ୟମୟ ଭାବେ ମୃତ୍ୟୁ ହେବା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏତଲାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଥିବାବେଳେ ପୁଲିସ ତାଙ୍କୁ କାହିଁକି ଗିରଫ କରୁନାହିଁ ବୋଲି ମୃତକ ପରିବାର ଲୋକ ବାରମ୍ବାର ଅଭିଯୋଗ କରିଆସୁଛନ୍ତି।

ମାହାଙ୍ଗା ବ୍ଲକର ପୂବର୍ତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ବିରୋଧରେ ସ୍ୱର ଉଠାଇ ଆସୁଥିଲେ। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ପଞ୍ଚାୟତିରାଜ ବିଭାଗ ଅଧୀନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆସୁଥିବାରୁ କୁଳମଣି ବରାଳଙ୍କୁ ଚୁପ୍ କରିବା ପାଇଁ ଏହି ହତ୍ୟାକାଣ୍ଡ ରଚାଯାଇଥିଲା। ଏହି ହତ୍ୟାକାଣ୍ଡର ମୁଖ୍ୟ ଅପରାଧୀ ପ୍ରଫୁଲ ବିଶ୍ୱାଳଙ୍କୁ ଗିରଫ ନକରିବା ଘଟଣା ପୁଲିସର ଭୂମିକା ସନ୍ଦେହ ଘରରେ ରହିଛି। ମାହାଙ୍ଗା ହତ୍ୟାକାଣ୍ଡ ପରେ ପ୍ରଫୁଲ୍ଲ ବିଶ୍ୱାଳଙ୍କୁ ମନ୍ତ୍ରୀ ପ୍ରତାପ ଜେନା ଅଣ୍ଡରଗ୍ରାଉଣ୍ଡ କରି ରଖିଥିଲେ। ଟାଙ୍ଗୀ ପୁଲିସ ମୋବାଇଲ ଟ୍ରାକ୍ କରି ପ୍ରଫୁଲ ବିଶ୍ୱାଳ ଟାଙ୍ଗୀରେ ଅଛନ୍ତି ବୋଲି ଜାଣିବା ପରେ ବି କିପରି ତାଙ୍କୁ ଖୋଜି ପାରିଲା ନାହିଁ। ଅନ୍ୟପଟେ ଗାଡି ଦୁର୍ଘଟଣାରେ ପ୍ରଫୁଲ୍ଲ ବିଶ୍ୱାଳଙ୍କ ଶରୀରରେ ଗଭୀର ଆଘାତ ଲାଗିଥିବାବେଳେ କିପରି ତାଙ୍କ ବାଇକ, ମୋବାଇଲ ଏବଂ ହେଲେମଟ ସୁରକ୍ଷିତ ଥିଲା ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

ପ୍ରଫୁଲ ବିଶ୍ୱାଳଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ମୃତ୍ୟୁ ପୂବର୍ରୁ ପ୍ରଫୁଲ୍ଲ ବିଶ୍ୱାଳ ତାଙ୍କ ପୁଅକୁ ଫୋନ୍ କରି ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହେବ ବୋଲି କହିଥିଲେ। ମହାଙ୍ଗା ଡବଲ ମଡର୍ର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ ବିଶ୍ୱାଳ ମୃତ୍ୟୁ ପୂବର୍ରୁ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳଙ୍କୁ ଫୋନ୍ କରି ତାଙ୍କ ପରିବାରର ଦେଖାଶୁଣା କରିବା ପାଇଁ କହିଥିଲେ ବୋଲି ପୁଲିସକୁ ରମାକାନ୍ତ ସୂଚନା ଦେଇଥିଲେ ସୁଦ୍ଧା ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ଗତ ଜାନୁଆରୀ ୮ ତାରିଖରେ ମାହାଙ୍ଗା ଡବଲ ମର୍ଡର ଘଟଣାର ଏକ ଡିଆଜି ର୍ୟାଙ୍କ ଅଧିକାରୀ ୧୦ ଦିନ ମଧ୍ୟରେ ତଦନ୍ତ କରିବେ ବୋଲି ଡିଜିପି ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ଏଯାବତ୍ ସେପରି କିଛି ହେଲା ନାହିଁ। ଆଇନଶୃଙ୍ଖଳା ରକ୍ଷା କରିବା ଏବଂ ଜଘନ୍ୟ ଅପରାଧ ଉପରେ ରୋକ୍ ଲଗାଇବା ପୁଲିସର କର୍ତ୍ତବ୍ୟ । କିନ୍ତୁ ଓଡିଶାରେ ଅପରାଧ ହାର ବୃଦ୍ଧି ପାଇବାରେ ଲାଗିଛି। ତଦନ୍ତରେ ଶିଥିଳତା ଯୋଗୁଁ ଅନେକ ଅପରାଧୀ ଧରାପଡୁନାହାଁନ୍ତି ଏବଂ ଯେଉଁମାନଙ୍କୁ ପୁଲିସ ଧରୁଛି ସେମାନଙ୍କୁ ସହଜରେ ଜାମିନ ମିଳିଯାଉଛି ବାଲି ଶ୍ରୀ ମହାନ୍ତି କହିଛନ୍ତି।