ଦେବଗଡ଼,ଏନ୍ଏନ୍ଏସ୍: କୃଷି ମନ୍ତ୍ରୀ ଡ.ଅରୁଣ ସାହୁ ଗତକାଲି ସନ୍ଧ୍ୟାରେ ଦେବଗଡ଼ ଗସ୍ତରେ ଆସି ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି । ମନ୍ତ୍ରୀ ଶ୍ରୀ ସାହୁ ସୁନ୍ଦରଗଡ଼ ଯାଉଥିବାବେଳେ ବାରକୋଟ ବ୍ଲକ ଅନ୍ତର୍ଗତ ବମପରଡା ଗ୍ରାମରମା ଜଗଧାତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀର ଧନ୍ୱନ୍ତରୀ ସାହୁଙ୍କ ଛତୁ ଚାଷ ଏବଂ ଜୈବିକ ସାର ଓ ଔଷଧ ତିଆରି ସ୍ଥାନ ପରିଦର୍ଶନ କରିଥିଲେ । ଏହାସହିତ ତାଙ୍କୁ ଅଧିକ ସରକାରୀ ପ୍ରୋତ୍ସାହନ ଏବଂ ତାଲିମ ସମ୍ପର୍କରେ ମନ୍ତ୍ରୀ ଆଲୋଚନା କରିଥିଲେ । ଏହାପରେ ମନ୍ତ୍ରୀ ଶ୍ରୀ ସାହୁ ବାରକୋଟ ବ୍ଲକର ଭାଟସିଂ ଗ୍ରାମରେ ରାଜ କିଶୋର ପ୍ରଧାନ କରିଥିବା ଫୁଲ ବଗିଚା ମଧ୍ୟ ପରିଦର୍ଶନ କରିଥିଲେ । ଉକ୍ତ ୬ ଏକର ପରିମିତ ଫୁଲ ବଗିଚାରେ ଥିବା ୮ଟି ପଲିହାଉସରେ ପ୍ରତିଦିନ ୮ରୁ ୧୦ ହଜାର ବିଭିନ୍ନ ଫୁଲ ବାହାରୁଛି । ଏଥିରେ ଜରବେରା, ସେବତୀ ଏବଂ ଗୋଲାପ ଫୁଲ ମୁଖ୍ୟତଃ ଚାଷ ହୋଇଥାଏ । ତେବେ ଉକ୍ତ ଫୁଲ ବଗିଚାକୁ ଅଧିକ ଫୁଲ ଉତ୍ପାଦନ ହୋଇ ପାରିବ ସେ ଦିଗରେ ମଧ୍ୟ ମନ୍ତ୍ରୀ ଶ୍ରୀ ସାହୁ ଆଲୋଚନା କରିଥିଲେ। ତାଙ୍କ ଗସ୍ତ ସମୟରେ ଏଡିଏଚ କିଶୋର ମହାଲିଙ୍ଗ, ପିଡି ୱାଟରସେଡ ସୁଧାକର ଶତପଥୀ, କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ. ସୁଜିତ ନାଥ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବାଳକୃଷ୍ଣ ଗୌଡଙ୍କ ସମତେ ମନ୍ତ୍ରୀଙ୍କ ଟିମ୍ ଉପସ୍ଥିତ ଥିଲେ ।