ଚିତ୍ରକୋଣ୍ଡା ଅଞ୍ଚଳରୁ ବନ୍ଧୁକ, ହରିଣ ଛାଲ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ପୁଲିସକୁ ମିଳିିଛି ବଡ଼ ସଫଳତା। ଚିତ୍ରକୋଣ୍ଡା ପୁଲିସ ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ଉ କରି ହରିଣ ଛାଲ , ହନୁମାନ ପଇସା, ପୁରୁଣା ତମ୍ବା ମୁଦ୍ରା , ରତ୍ନ ପଥର ଓ ଗୋଟିଏ ବନ୍ଧୁକ ଜବତ କରିଛି। ବିଶେଷ ସୁତ୍ରରୁ ଖବରପାଇ ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଚିତ୍ରକୋଣ୍ଡା ଦୈନିକ ବଜାର ନିକଟସ୍ଥ ମୋହନ ତ୍ରିବେଦିଙ୍କ ଘରେ ଚଢ଼ଉ କରିଥିଲା। ଚଢଉ ସମୟରେ ତାଙ୍କ ଘରୁ ଏକ ଡବଲ ବ୍ୟାରେଲ ବନ୍ଧୁକ, ହନୁମାନ ପଇସା, ଭାରତୀୟ ଓ ବିଦେଶୀ ତମ୍ବା ମୁଦ୍ରା, ରତ୍ନ ପଥର ଥିବା ଗୋଟିଏ ବକ୍ସ, ନଗଦ ୧୨୩୧୦ ଟଙ୍କା, ଏକ ସ୍କୁଟି, ତିନୋଟି ମୋବାଇଲ , ଏଟିଏମ୍ କାର୍ଡ ଜବତ କରିବା ସହ ଘର ମାଲିକ ଶ୍ରୀ ତ୍ରିବେଦୀ ଓ ଆନ୍ଧ୍ର ପ୍ରଦେଶର ଏଲମାନଚିଲିର ଇଥାମ ସେଠୀ, ଭେଙ୍କଟ ରମାନା ଓ କୃପଭରାମ ତ୍ରିପାଲ୍ଲୀଙ୍କୁ ଗିରଫ କରାଯାଇଛି। ଏହି ତିନିଜଣ ବ୍ୟକ୍ତି ବହୁଦିନ ହେଲା ଏଠାରେ ଏହି ର୍ୟାକେଟ୍ ଚଲାଉଥିବା ସହ ଲୋକଙ୍କୁ ହନୁମାନ ପଇସା, ରତ୍ନ ପଥର , ତମ୍ବା ମୁଦ୍ରା ନାମରେ ଠକି ଆସୁଥିଲେ। ଏନେଇ ଚିତ୍ରକୋଣ୍ଡା ଥାନାରେ ଏକ ମାମଲା ରୁଜୁ କରାଯାଇଛି।