ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଫେବୃଆରୀ ୧୪କୁ ଭେଲେଣ୍ଟାଇନ ଡେ’ ରୂପେ ପାଳନ କରାଯାଉଥିବାବେଳେ ଭାରତରେ ଏହି ଦିନ ଜମ୍ମୁ-କଶ୍ମୀର ଏକ ଦୁଃଖଦ ଘଟଣା ସହ ଜଡ଼ିତ। ଆତଙ୍କବାଦୀମାନେ ୨ ବର୍ଷ ପୂର୍ବେ ଆଜିର ଦିନରେ ଜମ୍ମୁ-କଶ୍ମୀରର ପୁଲୱାମାରେ ଦେଶର ସୁରକ୍ଷାବଳ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୪୦ ଜଣ ବୀର ଯବାନ ସହିଦ ହୋଇଥିବାବେଳେ ଅନେକ ଗୁରୁତର ଭାବେ ଆହତ ହୋଇଥିଲେ।
ପୁଲୱାମାରେ ଜୈଶ-ଏ-ମହମ୍ମଦର ଜଣେ ଆତଙ୍କବାଦୀ ବିସ୍ଫୋରକ ଲଦା ହୋଇଥିବା ସିଆରପିଏଫ୍ ଯବାନଙ୍କ ବସକୁ ଧକ୍କା ଦେଇଥିଲେ। ଏହି ଧକ୍କା ପରେ ଜୋରଦାର ବିସ୍ଫୋରଣ ହୋଇଥିଲା । ଆଉ ବସରେ ଯାଉଥିବା ସିଆରପିଏଫ୍ ଯବାନଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା। ଏହି ଆକ୍ରମଣକୁ ଭିଆଇଥିବା ଆଦିଲ, କାରୀ ୟାସିର, ସଜ୍ଜାଦ ଭଟ୍ଟ, ଔମର ଫାରୁକ ଓ ମୁଦସିର ଅହମ୍ମଦ ଖାନ୍ ଆଦି ସମସ୍ତେ ମରିସାରଲେଣିି। ଏଥିରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନଆଇ) ମୁଖ୍ୟ ଭୂମିକା ନିର୍ବାହ କରିଛି। ଏନଆଇଏ ୨୦୨୦ ଅଗଷ୍ଟରେ ପୁଲୱାମା ଆକ୍ରମଣକୁ ନେଇ ସାଢ଼େ ୧୩ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲେ। ଏଥିରେ ୧୯ ଆରୋପୀଙ୍କ ନାମ ସାମିଲ କରାଯାଇଥିଲା। ସେଥିମଧ୍ୟରୁ ୬ ଜଣ ଭିନ୍ନ ଭିନ୍ନ ଅପରେସନରେ ପ୍ରାଣ ହରାଇଛନ୍ତି।