ବରଗଡ଼,ଏନ୍ଏନ୍ଏସ୍: ଅମ୍ବାଭୋନା ବ୍ଲକ୍ ଭୁକ୍ତା ଓ ପଦ୍ମପୁରରେ ଧାନ ବିକ୍ରିରେ ଅବ୍ୟବସ୍ଥାକୁ ନେଇ ଚାଷୀ ଆନ୍ଦୋଳନ ଚାଲିଥିବାବେଳେ ବରଗଡ଼ରେ ଚାଷୀମାନେ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଏବଂ ସମବାୟ ସମିତି ସମୂହ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ। ସୂଚନା ଯୋଗ୍ୟ, ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ସମେତ ଅମ୍ବାଭୋନା ବ୍ଲକରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗୋଟିଏ ପଟେ ଟ୍ୟାଗିଂ ଦିଆଯାଉ ନ ଥିବାବେଳେ ଅନ୍ୟପଟେ ଚାଷୀମାନଙ୍କୁ ଦିଆଯାଇଥିବା ଅନଲାଇନ ଟୋକନର ଅବଧି ଶେଷ ହୋଇଯାଇଛି। ଫଳରେ ବିଭିନ୍ନ ମଣ୍ଡିରେ ହଜାର ହଜାର ବସ୍ତା ଧାନ ବିକ୍ରି ହୋଇ ନପାରି ପଡ଼ି ରହିଛି । ଯାହାକୁ ନେଇ ଚାଷୀ ଅସନ୍ତୋଷ ଲାଗି ରହିବା ସହ ଲାଲବାହାଦୁର ଶାସ୍ତ୍ରୀ କୃଷକ ସଂଗଠନ ତରଫରୁ ଚାରି ଦିନ ହେବ ଅମ୍ବାଭୋନା ତହସିଲ କାର୍ଯ୍ୟାଳୟରେ ଧାନ ପକାଇ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି।
ସେହିପରି ଗୁରୁବାର ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଜବୋରାସମ୍ବର କୃଷକ ସଂଗଠନ ତରଫରୁ ଧାନ ରଖି ଆନ୍ଦୋଳନ କରାଯାଇଛି । ଅପରପକ୍ଷେ ଗୁରୁବାର ବରଗଡ଼ରେ ଚାଷୀ ସଂଗଠନ ସମନ୍ୱୟ ସମିତିର ସଭାପତି ଜୟକୃଷ୍ଣ ସାହୁ ଏବଂ କିଶୋର ଦେବତାଙ୍କ ନେତୃତ୍ୱରେ ଚାଷୀମାନେ ଜିଲ୍ଳା ଯୋଗାଣ ବିଭାଗ କାର୍ଯ୍ୟାଳୟ ଓ ସମବାୟ ସମିତି ସମୂହ କାର୍ଯ୍ୟାଳୟରେ ତାଲା ପକାଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।