ବାରଣାସୀ: ବାରଣାସୀରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ଫେବୃଆରୀ ୧୫ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ତେଜସ ଏକ୍ସପ୍ରେସ ରୂପେ ଚଲାଯିବ। ନୂଆଦିଲ୍ଲୀରୁ ବାରଣାସୀ ମଧ୍ୟରେ ଚାଲିବାକୁ ଥିବା ବନ୍ଦେ ଭାରତ ଟ୍ରେନ ୪୫ ଦିନ ଲାଗି ସେବାରୁ ହଟିବ। ୪୫ ଦିନ ଲାଗି ବନ୍ଦେ ଭାରତ ଏକ୍ସପ୍ରେସ ମେଣ୍ଟେନାନ୍ସ ଓ ସର୍ଭିସ ପାଇଁ ଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ରେ ଭାରତରେ ପ୍ରସ୍ତୁତ ହୋଇଥିବା ଏହି ହାଇସ୍ପିଡ଼ ଟ୍ରେନକୁ ସବୁଜ ସଙ୍କେତ ଦେଇଥିଲେ।
ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ବଦଳରେ ଚାଲିବାକୁ ଥିବା ତେଜସ ଏକ୍ସପ୍ରେସ ଟ୍ରେନର ସଞ୍ଚାଳନ ଭାରତୀୟ ରେଲୱେ ଦ୍ୱାରା କରାଯିବ ଏବଂ ଭଡ଼ା ସମାନ ରହିବ। ଦିଲ୍ଲୀ-ବାରଣାସୀ ବନ୍ଦେ ଭାରତ ଏକ୍ସପ୍ରେସକୁ ଏବେ ତେଜସ ଏକ୍ସପ୍ରେସ ରୂପେ ସାମିଲ କରିବା ସହ ଭାରତୀୟ ରେଲୱେ ଆଉ ୩ଟି ତେଜସ ଏକ୍ସପ୍ରେସ ସଞ୍ଚାଳନ କରିବ। ଏଥିରେ ୧୬ଟି ଏସି କୋଚ୍ ରହିବା ସହ ହାଇସ୍ପିଡ଼ ୱାଇ-ଫାଇ, ଜିଏସପି ଆଧାରିତ ଯାତ୍ରୀ ସୂଚନା ପ୍ରଣାଳୀ, ଟଚ୍-ଫ୍ରି ବାୟୋ ଭେକ୍ୟୁମ୍ ଶୌଚାଳୟ, ଏଲଇଡି ଲାଇଟିଂ ଓ ମୋବାଇଲ ଚାର୍ଜିଂ ପ୍ରମୁଖ ବ୍ୟବସ୍ଥା କରାଯାଇଛି।