ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବାଲିଯୋରୀସ୍ଥିତ ଝାରସୁଗୁଡ଼ା ଇଂଜିନିୟରିଙ୍ଗ ସ୍କୁଲ ପରିସରରେ ଥିବା ବିଭିନ୍ନ ପ୍ରକାର ମୂଲ୍ୟବାନ ଗଛକୁ ଦୁର୍ବୁତ୍ତମାନେ ଚୋରି କରି ନେଇଥିଲେ। ଏନେଇ ବାରମ୍ବାର ଅଭିଯୋଗ ମିଳିବା ପରେ ଆଜି ଝାରସୁଗୁଡ଼ା ବନ ବିଭାଗ ପକ୍ଷରୁ ଘଟଣାସ୍ଥଳ ଏବଂ ଆଖପାଖ ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ଏହି ଚଢ଼ଉ ସମୟରେ ସ୍କୁଲ ପରିସସରୁ ପ୍ରାୟ ୨ଶହ ମିଟର ଦୂରରେ ଥିବା ଜଣେ ଶିକ୍ଷକଙ୍କ ଘର ନିକଟରେ ମାଟି ତଳୁ ପ୍ରାୟ ୧୨ ଖଣ୍ଡ ଗଛ ଗଣ୍ଡି ବନ ବିଭାଗ ଜବତ କରିଛି। ଏହି ଜବତ ଗଛ ଗଣ୍ଡିର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ସ୍କୁଲ ପରିସରରୁ ଆହୁରି ମଧ୍ୟ ଗଛ ଚୋରି ହୋଇଥିବାବେଳେ ବନ ବିଭାଗ ପକ୍ଷରୁ ଖୋଳତାଡ଼ ଜାରି ରହିଛି। ତେବେ ଏନେଇ ସ୍କୁଲ ପ୍ରିନ୍ସିପାଲ ପ୍ରଗତି ଦାସଙ୍କୁ ପଚାରିବାରୁ ସ୍କୁଲର ଜଣେ ଶିକ୍ଷକଙ୍କ ଘର ନିକଟରୁ ଗଛ ଗଣ୍ଡି ମିଳିଥିବା ତାଙ୍କୁ ବନ ବିଭାଗ ଖବର ଦେବା ପରେ ସେ ଅଭିଯୁକ୍ତ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଏନେଇ ଝାରସୁଗୁଡ଼ା ଜିଲ୍ଲାପାଳ ଓ ବନ ବିଭାଗ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି। ଏହାସହ ଗଛ ଚୋରି ଘଟଣାର ଉପଯୁକ୍ତ ତଦନ୍ତ କରି ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମତି ଦାସ କହିଛନ୍ତି।
ପ୍ରକାଶଯୋଗ୍ୟ, ଇଞ୍ଜିନିୟରିଙ୍ଗ ସ୍କୁଲରେ କନଷ୍ଟ୍ରକ୍ସନ କାମ ପାଇଁ ଥିବା ଗଛଗୁଡ଼ିକୁ ଟ୍ରିମ କରିବା ପାଇଁ ସ୍କୁଲ କର୍ତୃପକ୍ଷ ଓଏଫଡିସିଠାରୁ ଅନୁମତି ଲୋଡ଼ିଥିଲେ। ତେବେ ଓଏଫଡିସି ଗଛଗୁଡ଼ିକୁ ଟ୍ରିମ କରିବା ପାଇଁ ଅନୁମତି ଦେଇନଥିଲେ। ଏହାସତ୍ତେ୍ୱ ଏଠାରେ ଥିବା ଗଛଗୁଡ଼ିକୁ କିଛି ସ୍କୁଲ କର୍ତୃପକ୍ଷଙ୍କ ନିର୍ଦ୍ଦେଶରେ ବେଆଇନ ଭାବରେ କାଟିବା ସହ ବିକ୍ରି କରାଯାଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।