ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ଆଜି ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଅବସରରେ ଜିଲ୍ଲାପାଳ ସରୋଜ କୁମାର ସାମଲ ପ୍ରଥମ ଟିକା ନେଇଥିବାବଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରୁଛନ୍ତି ଏବଂ ଏହାର କୌଣସି ପାଶ୍ୱର୍ ପ୍ରତିକ୍ରିୟା ହୋଇ ନଥିବା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, କରୋନା ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ। ତେଣୁ ଦ୍ୱିତୀୟ ପର୍ଯ୍ୟାୟରେ ଟିକା ଗ୍ରହଣ ପାଇଁ ତାଲିକାଭୁକ୍ତ ହୋଇଥିବା ସମସ୍ତ ୩ ହଜାର ୯ଶହ ୨୩ ଜଣ ଅଧିକାରୀ ଓ କର୍ମଚାରୀ ଟିକା ଗ୍ରହଣ କରନ୍ତୁ। ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଝାରସୁଗୁଡ଼ା ପୌରପରିଷଦ, ଲଖନପୁର ବ୍ଲକ ଅଫିସ, ବ୍ରଜରାଜନଗର ପୌରପରିଷଦ, କିର୍ମିରା ବ୍ଲକ ଅଫିସ ଏବଂ ଓଏସଏପି ଝାରସୁଗୁଡ଼ାରେ ଟିକାକରଣ କରାଯାଇଛି। ପ୍ରଥମ ଦିନରେ ପ୍ରତ୍ୟେକ କେନ୍ଦ୍ରରେ ୧୦୦ ଜଣଙ୍କୁ ଟିକା ପ୍ରଦାନ କରିବାର ଲକ୍ଷ୍ୟ ରଖାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ଟିକା କାରଣରେ ରାଜସ୍ୱ ବିପର୍ଯ୍ୟୟ ପ୍ରଶମନ ବିଭାଗ, ଘରୋଇ ବିଭାଗର ପୁଲିସ କର୍ମଚାରୀ, ନଗର ଉନ୍ନୟନ ବିଭାଗ, ପଞ୍ଚାୟତ ରାଜ ତଥା ପାନୀୟ ଜଳ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଟିକା ନେଇଛନ୍ତି। ଆଗାମୀ ୧୦ ତାରିଖ ସୁଦ୍ଧା ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯିବାର ଯୋଜନା କରାଯାଇଛି। ସେହିପରି ଆଗାମୀ ଦିନରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ଟିକାକରଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ସାମଲ କହିଛନ୍ତି।