ପାରାଦୀପ,ଏନ୍ଏନ୍ଏସ୍: ରାସ୍ତା କଡରେ ଠିଆ ହୋଇଥିବା ଟ୍ରେଲରରେ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋ ଧକ୍କା ହେବା ଫଳରେ ଜଣେ ଆଠ ବର୍ଷୀୟ ନାବାଳକର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଏଥିସହ ବୋଲେରୋରେ ଥିବା ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି। ଏଭଳି ଅଘଟଣ ଘଟିଛି ଜଗତସିଂହପୁର ଜିଲ୍ଲା ପାରାଦୀପ ରାସ୍ତାର ରଘୁନାଥପୁର ଖଣ୍ଡତିରା ନିକଟରେ। ସୂଚନା ଅନୁସାରେ ଗତକାଲି ରାତିରେ ଏରସମା ଅଞ୍ଚଳର ଏକ ପରିବାର ବୋଲେରୋ ଯୋଗେ କଟକରୁ ସେମାନଙ୍କ ଗାଁ ଅଭିମୁଖେ ଯାଉଥିବାବେଳେ ରଘୁନାଥପୁର ଖଣ୍ଡତିରା ନିକଟରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରେଲର ସହ ଧକ୍କା ହୋଇଥିଲା।
ଦ୍ରୁତ ଗତିରେ ଯାଉଥିବା ବୋଲେରୋଟି ଟ୍ରେଲରରେ ପିଟି ହେବାରୁ ଘଟଣାସ୍ଥଳରେ ୮ ବର୍ଷୀୟ ନାବାଳକର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ବୋଲେରୋ ଡ୍ରାଇଭର ସମେତ ବାପା, ମା’ ଓ ଝିଅ ଗୁରୁତର ହୋଇପଡ଼ିଛନ୍ତି। ସମସ୍ତ ଗୁରୁତରଙ୍କୁ ପ୍ରଥମେ ଜଗତସିଂହପୁର ଚିକିତ୍ସାଳୟ ଓ ପରେ କଟକକୁ ସ୍ଥାନାନ୍ତରିତ କରାଯାଇଛି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଦୁର୍ଘଟଣାରେ ସମ୍ପୃକ୍ତ ଟେଲର ଓ ତାର ଡ୍ରାଇଭରକୁ ପାରାଦୀପ ଥାନାରେ ଅଟକ ରଖିଛି।