୨୦୨୧-୨୨ ବଜେଟ ଉପସ୍ଥାପନ: ୨୦୨୨ ସୁଦ୍ଧା ଦୁଇଗୁଣ ହେବ ଚାଷୀଙ୍କ ଆୟ

ନୂଆଦିଲ୍ଲୀ,ଏଜେନ୍ସି: ବଜେଟ୍‌ ୨୦୨୧-୨୨ର ଉପସ୍ଥାପନ ହେଉଥିବା ବେଳେ ଏଥିରେ କୃଷି ଓ କୃଷକମାନଙ୍କୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି। ନୂତନ କୃଷି ଆଇନକୁ ନେଇ ଚାଷୀମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା ବେଳେ ଚଳିତ ବର୍ଷ ବଜେଟ ଅଧିବେଶନରେ ଏମଏସପିକୁ ଗୁରୁତ୍ୱ ଦେବା ସହ ଖର୍ଚ୍ଚର ଦେଢଗୁଣା ଏମଏସପି କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏମଏସପି ପାଇଁ ୭୫ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ସେହିପରି ଚାଷୀଙ୍କ ଆୟ ୨୦୨୨ ସୁଦ୍ଧା ଦୁଇଗୁଣ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଧାନକିଣାରେ ୨୦୨୧ରେ ୧.୭୪ କୋଟି ଖର୍ଚ୍ଚ ହେବ। ଏଥିରୁ ଲାଭ ପାଇବେ ୧.୫୪ କୋଟି ଚାଷୀ। ସେପଟେ ଗହମ ଚାଷୀଙ୍କୁ ଏମଏସପି ଭାବେ ୭୫,୧୦୦ କୋଟି ଟଙ୍କା ଦିଆଯିବ।

ଦେଶରେ ୫ ନୂଆ ବଡ କୃଷି ହବ୍ ହେବ। ୧ ହଜାରରୁ ଅଧିକ ମଣ୍ଡିକୁ ଅନଲାଇନରେ ଯୋଡାଯିବ ବୋଲି ଅର୍ଥମନ୍ତ୍ରୀ ସଂସଦରେ କହିଛନ୍ତି। କୃଷି ଋଣକୁ ବଢାଇ ୧୬.୫ ଲକ୍ଷ ଟଙ୍କା ରଖାଯାଇଛି। ମାଇକ୍ରୋ ଇରିଗେସନ୍ ପାଇଁ ୫ ହଜାର କୋଟିର ଅତିରିକ୍ତ ବଜେଟ ରହିଛି।

‘ଏକ ରାଷ୍ଟ୍ର ଏକ ରାସନ’ ଅନ୍ତର୍ଗତ ବାକି ଥିବା ୪ଟି ରାଜ୍ୟକୁ ଯୋଡାଯିବ। ପଶୁପାଳନ ଡାଏରୀ ପାଇଁ ୪୦ ହଜାର କୋଟି। ଜଳସେଚନ ପାଇଁ ୫ ହଜାର କୋଟି ଓ ଡାଲି ଚାଷୀଙ୍କ ପାଇଁ ୧୦ ହଜାର କୋଟି ବ୍ୟୟବରାଦ ହୋଇଥିବା ଅର୍ଥମନ୍ତ୍ରୀ କହିଛନ୍ତି।