ମାଲକାନଗିରି ମୁଖ୍ୟ ଡାକଘରେ ବନ୍ଦ ପଡ଼ିଛି ଇ-ସେବା

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ସଦରମହକୁମାସ୍ଥିତ ମୁଖ୍ୟ ଡାକଘରର ସମସ୍ତ ଇ-ସେବା ଗତ ୧୨ ତାରିଖଠାରୁ ବନ୍ଦ ରହିଛି। ଇଣ୍ଟରନେଟ ଲିଙ୍କ ନଥିବା ଫଳରେ ଅର୍ଥ ଜମା, ଉଠାଣ, ଆରଡି ଜମା, ନ୍ୟାସନାଲ ସେଭିଂ ସ୍କିମ୍ରେ ଜମା, ଇ-ମନିଅର୍ଡର, ପୋଷ୍ଟାଲ ଇନ୍ସୁରାନ୍ସ ଜମା ପ୍ରଭୃତି ଏବେ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଛି। ଏଥିସହ ସମସ୍ତ ମ୍ୟାଚ୍ୟୁରିଟି ଉଠାଣ ମଧ୍ୟ ହୋଇପାରୁ ନାହିଁ। ଫଳରେ ଜିଲ୍ଲାବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଇଛି। ଏପରିକି ଜିଲ୍ଲା ମୁଖ୍ୟ ଡାକ ଘର ଉପରେ ନିର୍ଭର କରୁଥିବା ସମସ୍ତ ୧୩ଟି ଶାଖା ଡାକଘରର କାର୍ଯ୍ୟ ମଧ୍ୟ ବନ୍ଦ ରହିଛି। ଡାକ ସଂଗ୍ରହ କରିବା ନିମନ୍ତେ ଇଣ୍ଟରନେଟ୍ ସେବାର ଆବଶ୍ୟକ ନଥିବାରୁ ଏହି ଗୋଟିଏ କାମ ହିଁ ଚାଲୁ ରହିଛି। ଡାକପାଳ ଜିତେନ୍ଦ୍ର ସ୍ୱାଇଁ ଏସମସ୍ତ ଅବ୍ୟବସ୍ଥା ସମ୍ପର୍କରେ ପ୍ରତିଦିନ ଉଚ୍ଚ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କିପରି ଏହି ଅବ୍ୟବସ୍ଥାରେ ସୁଧାର ଆସିବ ସେଥିନିମନ୍ତେ ନିୟମିତ ସମ୍ପର୍କ ରଖିôଥିବା ପ୍ରକାଶ କରିଛନ୍ତି। ପ୍ରତିଦିନ ଗ୍ରାହକଙ୍କୁ ସେବା ଯୋଗାଇ ଦେଇ ପାରୁନଥିବାରୁ କର୍ମଚାରୀମାନେ ଦୁଃଖ ପ୍ରକାଶ କରିଛନ୍ତି। ଏ ଅବ୍ୟବସ୍ଥା ଓ ଗ୍ରାହକଙ୍କ ଅସୁବିଧା ବିଷୟରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ଜିଲ୍ଲା ସଂଯୋଜକ ରାମକୃଷ୍ଣ ଚୌଧୁରୀ ଡାକ ବିଭାଗର ଜୟପୁର, ବ୍ରହ୍ମପୁର ଓ ଭୁବନେଶ୍ୱର କର୍ତୃପକ୍ଷଙ୍କୁ ମଧ୍ୟ ଅବଗତ କରି ଖୁବଶୀଘ୍ର ଏଥିପ୍ରତି ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।