ସିକ୍କିମରେ ପଢାଯିବ ୧୧ଟି ସ୍ଥାନୀୟ ଭାଷା

ଗାଙ୍ଗଟକ,ଏଜେନ୍ସି: ଆଗାମୀ ଶିକ୍ଷାବର୍ଷଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟରେ ୧୧ଟି ଆଞ୍ଚଳିକ ଭାଷାକୁ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସିକ୍କିମ ସରକାର। ଶିକ୍ଷାର୍ଥୀମାନେ ଉକ୍ତ ଭାଷାମାନଙ୍କ ମଧ୍ୟରୁ କୌଣସି ଗୋଟିଏକୁ ଦ୍ୱିତୀୟ ଭାଷା ଭାବେ ଚୟନ କରିପାରିବେ ବୋଲି ସ୍ଥାନୀୟ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ବିଦ୍ୟାଳୟଗୁଡ଼ିକରେ ତମାଙ୍ଗ, ଗୁରୁଙ୍ଗ, ମାନଗର, ଶେରପା, ମୁଖିୟା, ରାୟ ଏବଂ ନେବାର ସମେତ ୧୧ଟି ସ୍ଥାନୀୟ ଭାଷାକୁ ପାଠ୍ୟକ୍ରମରେ ସାମିଲ୍ କରାଯିବ। ନିୟମ ଅନୁଯାୟୀ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କର ପ୍ରଥମ ଭାଷା ଇଂରାଜୀ ହୋଇଥିବା ବେଳେ, ଦ୍ୱିତୀୟ ଭାଷା ପାଇଁ ଉକ୍ତ ୧୧ଟି ଭାଷା ମଧ୍ୟରୁ କୌଣସି ଗୋଟିଏ ଭାଷାକୁ ଚୟନ କରିବାକୁ ହେବ ଏବଂ ତୃତୀୟ ଭାଷା ହିନ୍ଦୀ ରହିବ। ଏହିଭଳି ରାଜ୍ୟରେ ତିନି ଭାଷା ଫର୍ମୂଲା ଲାଗୁ ହେବା ସହିତ କାର୍ଯ୍ୟକାରୀ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।