ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଏନଏଲସି ତାପଜ ବିଦ୍ୟୁତ ପ୍ରକଳ୍ପର ନିର୍ମାଣକୁ ଝାରସୁଗୁଡ଼ା ଜିଲ୍ଲାର ହିରମା, କୁମ୍ଭରୀ, ତାରାଇକେଲା, ତୁମ୍ବେକେଲା, ଲୁହୁରେନକଚର ଗ୍ରାମବାସୀ ବିରୋଧ କରିଛନ୍ତି। ଏଥିପାଇଁ ଗ୍ରାମବାସୀମାନେ ରେଭିନ୍ୟୁ ଡିଭିଜନାଲ କମିସନର(ଆରଡିସି)ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କୌଣସି ଏକ ପ୍ରକଳ୍ପ ନିର୍ମାଣ ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ଗ୍ରାମସଭା ଆୟୋଜିତ କରି ଲୋକଙ୍କ ସମସ୍ୟା ସମାଧାନର ବ୍ୟବସ୍ଥା କରିବା ନିୟମ ରହିଛ ବୋଲି ଗ୍ରାମବାସୀମାନେ କହିଛନ୍ତି। ତେବେ କୌଣସି ଗ୍ରାମସଭାର ଆୟୋଜନ ବିନା ତଲାବିରା ଏନଏଲସି ପ୍ରକଳ୍ପର ପ୍ରତିଷ୍ଠା ପାଇଁ ଗତ ୨୬ ତାରିଖ ଝାରସୁଗୁଡ଼ା ଜିଲ୍ଲା ଡିଆରଡିଏ କନଫରେନ୍ସ ହଲରେ ପ୍ରଥମ ଆରପିଡିଏସି ବୈଠକ ଅନୁଷ୍ଠିତ ହୋଇସାରିଛି। ତେବେ ଏନଏଲସି ପ୍ରକଳ୍ପ ସ୍ଥାନୀୟ ଅଞ୍ଚଳରେ ହେଲେ ଚାଷୀଙ୍କ ଚାଷ ଜମି ଉଜୁଡ଼ିଯିବ। ସ୍ଥାନୀୟ ଲୋକେ ବହୁଳ ଭାବେ କ୍ଷତିଗ୍ରସ୍ତ ଓ ପ୍ରଭାବିତ ହେବେ। ଏହି ଗ୍ରାମବାସୀଙ୍କର ଚାଷ ହିଁ ଆୟର ଏକମାତ୍ର ଉତ୍ସ ହୋଇଥିବାରୁ ସରକାର ୭ଟି ଲିଫ୍ଟ ଜଳସେଚନ ପ୍ରକଳ୍ପ ପ୍ରତିଷ୍ଠା କରି ସାହାଯ୍ୟ କରଛନ୍ତି। ଏଠାରେ ଏନଏଲସି ପ୍ରକଳ୍ପ ନିର୍ମାଣ ହେଲେ ଗ୍ରାମବାସୀମାନେ ତାଙ୍କର ଆୟର ପନ୍ଥା ହରାଇବେ। ତେଣୁ ଏହି ପ୍ରସ୍ତାବିତ ଅଞ୍ଚଳରେ ଏନଏଲସିର ନିର୍ମାଣକୁ ବାତିଲ କରାଯାଉ ବୋଲି ହିରମା, କୁମ୍ଭରୀ, ତାରାଇକେଲା, ତୁମ୍ବେକେଲା, ଲୁହୁରେନକଚର ଗ୍ରାମବାସୀ ଆରଡିସିଙ୍କ ନିକଟରେ ଦାବି କରିଛନ୍ତି।