ପଞ୍ଜାବ କେଶରୀ ଲାଲା ଲଜପତ ରାଏଙ୍କ ଆଜି ୧୫୭ ତମ ଜନ୍ମ ବାର୍ଷିକୀ

ଚଣ୍ଡିଗଡ଼,ଏଜେନ୍ସି: ସ୍ୱାଧୀନତା ସଂଗ୍ରାମୀ ତଥା ପଞ୍ଜାବ କେଶରୀ ଲାଲା ଲଜପତ ରାଏଙ୍କ ଆଜି ୧୫୭ ତମ ଜନ୍ମ ବାର୍ଷିକୀ। ପଞ୍ଜାବର ଫିରୋଜପୁରର ମୁନିଷି ରାଧା କ୍ରିଷ୍ଣ ଓ ଗୁଲାବ ଦେବୀଙ୍କ ଘରେ ୧୮୬୫ ମସିହା ଜାନୁଆରୀ ୨୮ ତାରିଖରେ ସେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ଜଣେ ପର୍ସିଆନ ଓ ଉର୍ଦ୍ଦୁ ଭାସାର ପଣ୍ଡିତ ଥିବା ବେଳେ ତାଙ୍କ ମାତା ଜଣେ ଧାର୍ମିକ ମହିଳା ଥିଲେ।

୧୮୮୬ ମସିହାରେ ରାଏ ତାଙ୍କ ପରିବାର ସହିତ ହିସାରକୁ ଚାଲିଯାଇଥିଲେ। ସେଠାରେ ସେ ଆଇନ ଅଭ୍ୟାସ କରିଥିଲେ। ପରେ ସେ ଜାତୀୟ ଦୟାନନ୍ଦ ଆଙ୍ଗେ୍ଲା ଭେଦିକ ସ୍କୁଲର ଆରମ୍ଭ କରିଥିଲେ ଯାହା ପରବର୍ତ୍ତୀ ସମୟରେ ଦୟାନନ୍ଦ ସରସ୍ୱତୀ ନାମରେ ନାମିତ ହୋଇଥିଲା। ସେହିପରି ୧୮୯୫ ମସିହାରେ ସ୍ୱର୍ଗତ ରାଏ ପଞ୍ଜାବ ନେସନାଲ ବ୍ୟାଙ୍କ ପ୍ରତିଷ୍ଠାରେ ସାହାଯ୍ୟ କରିଥିଲେ। ୧୯୦୦ ମସିହାରେ ସେ ଜାତୀୟ କଂଗ୍ରେସରେ ସାମିଲ ହୋଇ ସ୍ୱଦେଶୀ ମୁଭମେଣ୍ଟରେ ଭାଗ ନେଇଥିଲେ।

୧୯୨୮ ମସିହାରେ ଲାଲା ଲଜପତ ରାଏ ବ୍ରିଟିଶ ସରକାରଙ୍କ ଦ୍ୱାରା ପ୍ରଣୀତ ହୋଇଥିବା ସାଇମନ କମିସନ ବିରୋଧରେ ଅହିଂସା ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଏଥିରେ ସେ ସ୍ଲୋଗାନ ଦେଇଥିଲେ ‘ସାଇମନ୍, ଗୋ ବ୍ୟାକ୍!’। ଯାହାକି ସ୍ୱାଧୀନତା ସଂଗ୍ରାମରେ ବେଶ୍ ଲୋକପ୍ରିୟ ହୋଇଥିଲା।

ସେହିପରି ବ୍ରିଟିଶ ସରକାର ଦ୍ୱାର ପ୍ରଣୀତ ହୋଇଥିବା ଆଉ ଏକ ଆଇନ ରାଓଲତ ଆକ୍ଟକୁ ବିରୋଧ କରିଥିବାରୁ ତାଙ୍କୁ ‘ପଞ୍ଜାବ କେଶରୀ’ ବା ‘ଦ ଲାୟନ ଅଫ୍ ପଞ୍ଜାବ’ ଟାଇଟଲ ଦିଆଯାଇଥିଲା।

ସେ ତାଙ୍କ ଜୀବନରେ ‘ଅନ୍ ହାପି ଇଣ୍ଡିଆ, ୟଙ୍ଗ୍ ଇଣ୍ଡିଆ: ଆନ ଇଣ୍ଟରପ୍ରିଟେସନ୍ ଆଣ୍ଡ ହିଷ୍ଟ୍ରି ଅଫ୍ ଦ ନେସନାଲିଷ୍ଟ ମୁଭମେଣ୍ଟ ଫ୍ରମ୍ ୱିଥଇନ୍, ହିଷ୍ଟ୍ରି ଅଫ୍ ଆର୍ଯ୍ୟସମାଜ, ଇଂଲଣ୍ଡସ ଡେବ୍ଟ ଅଫ ଇଣ୍ଡିଆ’ ପୁସ୍ତକ ଲେଖିଛନ୍ତି। ଏଥିସହିତ ସେ ମଜିନି, ଗରିବଲଦି ଓ ସ୍ୱାମୀ ଦୟାନନ୍ଦଙ୍କ ଜୀବନୀ ଉପରେ ମଧ୍ୟ ପୁସ୍ତକ ଲେଖିଛନ୍ତି।