ଗଣତନ୍ତ୍ର ଦିବସରେ ସ୍ୱାଭିମାନ ଅଞ୍ଚଳର ପୂର୍ବ ଚିତ୍ରକୁ କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶାଇଲେ ସ୍ୱାଭିମାନୀ ଶିକ୍ଷକ

ମାଲକାନଗିରି/କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଭିନ୍ନ ଉପାୟରେ ଗଣତନ୍ତ୍ର ଦିବସ ପାଳନ କଲେ ସ୍ୱାଭିମାନୀ ଶିକ୍ଷକ। ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ମାଧ୍ୟମରେ ଅଞ୍ଚଳବାସୀଙ୍କୁ ଦେଲେ ଭିନ୍ନ ବାର୍ତ୍ତା। ଗୁରୁପ୍ରିୟା ସେତୁ ନିର୍ମାଣ ପୂର୍ବରୁ କିପରି ସଂଘର୍ଷ କରି ନିଜ ଜୀବନକୁ ବାଜି ଲଗାଇ ବିପଦପୂର୍ଣ୍ଣ ଜଳଯାତ୍ରା ସହ ପାହାଡିଆ ଘଞ୍ଚ ଜଙ୍ଗଲ ଅତିକ୍ରମ କରି ଶିକ୍ଷକମାନେ କିପରି ଶିକ୍ଷାଦାନ କରୁଥିଲେ ତାହା ଏହି ଚଳଚ୍ଚିତ୍ରର ମୁଖ୍ୟ ଆକର୍ଷଣ।

ପ୍ରଥମେ ନିଜ ନିଜ ବିଦ୍ୟାଳୟରେ ପତାକା ଉତ୍ତୋଳନ କରାଯାଇ ଜାତୀୟ ସଂଗୀତ ଗାନ କରାଯାଇଥିଲା। ପରେ ଦାରଲାବେଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପ୍ରୋଜେକ୍ଟର ମାଧ୍ୟମରେ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଚଳଚ୍ଚିତ୍ରରେ ତତ୍କାଳୀନ ଜିଲ୍ଲାପାଳ ଆର ଭିନିଲ କ୍ରିଷ୍ଣାଙ୍କ ଅପହରଣ ଠାରୁ ଆରମ୍ଭ କରି ହନ୍ତାଳଗୁଡା ଘାଟି ନିର୍ମାଣ, ଗୁଣିଗାରେଡି, ଅନ୍ଧବିଶ୍ୱାସ, ବିଏସଏଫ କ୍ୟାମ୍ପ ସ୍ଥାପନ, ବାଲ୍ୟ ବିବାହ ଏବଂ ଶିକ୍ଷକମାନେ ଅଞ୍ଚଳବାସୀଙ୍କୁ କିପରି ପ୍ରବର୍ତ୍ତାଇ ପିଲାଙ୍କୁ ସ୍କୁଲ ପଠାଉଥିଲେ ତାହା ଏହି ଚଳଚିତ୍ର ମାଧ୍ୟମରେ ଦର୍ଶାଯାଇଛି। ଚଳଚ୍ଚିତ୍ର ପ୍ରଦର୍ଶିତ ହେବା ସମୟରେ ବାଲ୍ୟ ବିବାହ ପ୍ରଥାର ଅଂଶକୁ ଦେଖି ଉପସ୍ଥିତ ଅତିଥି ବୃନ୍ଦଙ୍କ ସହ ଅଞ୍ଚଳବାସୀ ମଧ୍ୟ ଭାବବିହ୍ଵଳ ହୋଇପଡିଥିଲେ।

ଏହି ଚଳଚ୍ଚିତ୍ରକୁ ସ୍ୱାଭିମାନ ଅଞ୍ଚଳର ଯୋଡାମ୍ବ ସିଆରସସି ଶିବ ପ୍ରସାଦ ସରକାର ପରିକଳ୍ପନା କରିବା ସହ ଏଥିରେ କ୍ୟାମେରାମ୍ୟାନ ଦାୟିତ୍ୱ ତୁଲାଇଥିଲେ। ପଣସପଦର ବିଦ୍ୟାଳୟର ସହ ଶିକ୍ଷକ ସୁଶାନ୍ତ ପାତ୍ର ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ। ମୁଖ୍ୟ ଭୂମିକାରେ ଅରୁଣ ସାହୁ, ବାଲାଜୀ ସେଠୀ, ସ୍ଥାନୀୟ ଅଞ୍ଚଳର ଡ଼ମୁଣି, ଡାଳିମା ଏବଂ ଅନ୍ୟ ଶିକ୍ଷକମାନଙ୍କ ମଧ୍ୟରେ ନୀଳାମ୍ବର ପୂଜାରୀ, ଚିତ୍ତରଞ୍ଜନ ସେଠୀ, ଦେବଭକ୍ତ ସାଗର, ଦୟାନିଧି ପାତ୍ର, ଯୋଡାମ୍ବ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର କଲ୍ୟାଣ, ଉଦୟ ଖିଲ, ସନ୍ତୋଷ ଖିଲ, ସମ୍ବନ୍ଧ ପୂଜାରୀ, ଜୟଶଙ୍କର ମାଝୀ ପ୍ରମୁଖ ଭୂମିକା ତୁଲାଇଥିଲେ। ତେବେ ସ୍ୱାଭିମାନ ଅଞ୍ଚଳର କାର୍ଯ୍ୟରତ ବିଏସଏଫ ବାହିନୀ ଏବଂ ପୁଲିସ ଚଳଚ୍ଚିତ୍ର ଟିକୁ ଦେଖି ବହୁତ ଖୁସି ହୋଇଥିଲେ।