ଦେଓଗାଁ,ଏନ୍ଏନ୍ଏସ୍: ଏଫଡିଆର୍ ଓ ଖଳା କାମ ତୁରନ୍ତ ଆରମ୍ଭ କରିବାକୁ ଦେଓଗାଁ ପଞ୍ଚାୟତ ସମିତି ବୈଠକରେ ବାରମ୍ବାର ଦାବି ହେଉଥିବା ବେଳେ ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିିଁ। ଯାହା ଫଳରେ ଦେଓଗାଁ ବ୍ଲକ୍ ସରପଞ୍ଚ ସଙ୍ଘ ବୁଧବାର ଦିନ ବ୍ଲକ୍ କାର୍ଯ୍ୟାଳୟର ମୁଖ୍ୟ ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି। ଦେଓଗାଁ ବ୍ଲକରେ ଉନ୍ନୟନମୂଳକ କାମ ପାଇଁ ଆସିଥିବା ପ୍ରାୟ ୯ କୋଟି ଟଙ୍କା ପଡିରହିଛି। ଏହି କାମ ଆରମ୍ଭ କରିବା ପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନ ଓ ବ୍ଲକ୍ ପ୍ରଶାସନକୁ ବ୍ଲକ୍ ଚେୟାରମ୍ୟାନ ରୀନା ମେହେର ଲିଖିତ ଭାବରେ ଜଣାଇଥିଲେ। କିନ୍ତୁ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଆନ୍ଦୋଳନ ଆରମ୍ଭ ହୋଇଛି ବୋଲି ସରପଞ୍ଚ ସଂଘ ବ୍ଲକ୍ ସଭାପତି ଦୟାନିଧି ଖମାରୀ କହିଛନ୍ତି।
ଏହି ଧାରଣାରେ ଦେଓଗାଁ ବ୍ଲକର ସରପଞ୍ଚ, ସମିତିସଭ୍ୟ ସହ ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ବିଜେଡି ଯୁବ ସଭାପତି ଶୈଳେନ୍ଦ୍ର ସାହୁଙ୍କ ସହ ଶତାଧିକ ଲୋକ ଉପସ୍ଥିତ ଅଛନ୍ତି। ଗତ ୩ ବର୍ଷରୁ ଅଧିକ ସମୟ ଧରି ଦେଓଗାଁ ବ୍ଲକର ଚାଷୀମାନଙ୍କ ପାଇଁ ବିଭିନ୍ନ ଗାଁରେ ୧୧ଟି ଖଳା ନିର୍ମାଣ କରିବା ପାଇଁ ଅନୁଦାନ ଟଙ୍କା ଆସି ପଡ଼ି ରହିଛି।
ଗତବର୍ଷ ଅଗଷ୍ଟ ମାସରେ ହୋଇଥିବା ବର୍ଷା ଯୋଗୁଁ ରାସ୍ତା, ପୋଲ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ନଷ୍ଟ ହୋଇଥିଲା। ସେହି ସମୟରେ କ୍ଷୟକ୍ଷତି ଆକଳନ କରି ତୁରନ୍ତ ମରାମତି କରାଯିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ତଦନ୍ତ କରି ରାଜ୍ୟ ସରକାର ୧ କୋଟି ୫୪ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଇଛନ୍ତି। ହେଲେ ବ୍ଲକ୍ ସ୍ତରରେ କାମ ଆରମ୍ଭ ହେଉନାହିଁ। ଗତ ପଞ୍ଚାୟତ ସମିତି ବୈଠକରେ ସମିତି ସଭ୍ୟ ଓ ସରପଞ୍ଚ ସଂଘ ବିଡିଓଙ୍କୁ ଏହି ଅନୁଦାନ ବ୍ୟବହାରକୁ ନେଇ ଘେରିଥିଲେ। ବିଡ଼ିଓ ସେଦିନ ଆସନ୍ତାକାଲିଠାରୁ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ହେଁ, ଆଜି ଯାଏଁ ତାହା ଆରମ୍ଭ ହୋଇନାହିିଁ।