ଜାନୁଆରୀ ୩୧ ସୁଦ୍ଧା ୧୭୨ ଚାଷୀଙ୍କୁ ମିଳିବ ଟୋକନ, ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ଚାଷୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଅତାବିରା ସମବାୟ ସମିତିରେ ଧାନ ବିକ୍ରି ସମସ୍ୟାର ସମାଧାନ ଦାବିରେ ପଞ୍ଚଗାଁ ଛକ ଏନ୍ଏଚ୍-୪୯ରେ ଧାନ ବସ୍ତା ରଖି ଚାଷୀମାନେ ସୋମବାର ସକାଳେ ଆରମ୍ଭ କରିଥିବା ଆନ୍ଦୋଳନ ଦୀର୍ଘ ୩୬ ଘଣ୍ଟା ପରେ ପ୍ରତ୍ୟାହୃତ ହୋଇଛି। ଫଳରେ ୩୬ ଘଣ୍ଟା ପରେ ଝାରସୁଗୁଡ଼ାରୁ ପଞ୍ଚଗାଁ ଛକ ଦେଇ ଛତିଶଗଡ଼ ତଥା ଅନ୍ୟାନ୍ୟ ଅଞ୍ଚଳକୁ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଛି।

ସୂଚନା ଅନୁସାରେ ଅତାବିରା ସମବାୟ ସମିତିର ଚାଷୀମାନେ ନିଜ ଉତ୍ପାଦିତ ଧାନ ବିକ୍ରୟ ନିମନ୍ତେ ସରକାରୀ ପ୍ରାବଧାନ ମୁତାବକ ସମବାୟ ସମିତି (ପେକ୍ସ)ରେ ଅନଲାଇନ ଆବେଦନ କରିଥିଲେ। ହେଲେ ଅନଲାଇନ ତୃଟି ଯୋଗୁଁ ୧୭୨ ଜଣ ଚାଷୀଙ୍କ ସମସ୍ତ ଜମି ରେଜିଷ୍ଟ୍ରେସନ ହେବା ପରିବର୍ତ୍ତେ କେବଳ ଗୋଟିଏ ଲେଖାଏଁ ପ୍ଲଟ ରେଜିଷ୍ଟ୍ରେସନ ହୋଇଥିଲା। ଫଳରେ ଚାଷୀଙ୍କର ସମସ୍ତ ଜମିର ଧାନ ବିକ୍ରି ପାଇଁ ଟୋକନ ଆସିବା ପରିବର୍ତ୍ତେ କେବଳ ଗୋଟିଏ ଲେଖାଏଁ ପ୍ଲଟର ଟୋକନ ଆସିଥିଲା। ଫଳରେ ଚାଷୀମାନେ ସରକାରଙ୍କ ନିୟମ ଅନୁସାରେ ତାଙ୍କ ଜମିର ପଞ୍ଜିକୃତ ତଥ୍ୟ ବାବଦରେ ଆପତ୍ତି ଦର୍ଶାଇ ପୁଣି ଥରେ ସମସ୍ତ ଜମି ପାଇଁ ଟୋକନ ଆବେଦନ କରିଥିଲେ। ହେଲେ ଏହି ପୁନଃ ଆବେଦନକୁ ବହୁ ଦିନ ବିତି ସାରିଥିଲେ ମଧ୍ୟ ଚାଷୀମାନଙ୍କୁ ବଳକା ଜମିର ଟୋକନ ମିଳିନଥିଲା।

ଅତାବିରା ସମବାୟ ସମିତିର ୧୭୨ ଜଣ ଚାଷୀଙ୍କ ୬ ହଜାର କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଧାନ ଖୋଲା ଆକାଶ ତଳେ ପଡି ରହିଥିଲା। ଏନେଇ ଚାଷୀମାନେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ବରଗଡ ସାଂସଦ ସୁରେଶ ପୂଜାରୀ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ, ଝାରସୁଗୁଡା ସିଏସଓ, ଲଖନପୁର ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରସାରିଥିଲେ ସୁଦ୍ଧା କୌଣସି ନିଷ୍କର୍ଷ ବାହାରି ନଥିଲା। ଫଳରେ ଚାଷୀମାନେ ବାଧ୍ୟ ହୋଇ ଆନ୍ଦୋଳନ ଆରମ୍ଭ କରିଥିଲେ।

ଚାଷୀମାନେ ଏନ୍ଏଚ୍ ଉପରେ ଧାନ ବସ୍ତା ରଖି ଧାରଣା ଦେବା ସହ ରାସ୍ତା ଉପରେ ଭୋଜନ କରିଥିଲେ। ଏହାସହ ଗତକାଲି ଉକ୍ତ ଧାନ ବସ୍ତା ଉପରେ ତ୍ରିରଙ୍ଗା ପତାକା ଉଡ଼ାଇ ସାଧାରଣତନ୍ତ୍ର ଦିବସ ପାଳନ କରିଥିଲେ। ଏହାସହ ଅତାବିରା ସମବାୟ ସମିତିର ୧୭୨ ଜଣ ଚାଷୀମାନଙ୍କୁ ଟୋକନ ପ୍ରଦାନ କରି ଧାନ କିଣିବାର ବ୍ୟବସ୍ଥା କରାନଗଲେ ସେମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି କହିଥିଲେ। ଏହାପରେ ଜିଲ୍ଲା ପ୍ରଶାସନ ରାଜ୍ୟସ୍ତରୀୟ ଅଧିକାରୀଙ୍କ ସହ କଥାବାର୍ତ୍ତା କରି ଚାଷୀଙ୍କୁ ଆସନ୍ତା ୩୧ ତାରିଖ ଭିତରେ ଟୋକନ ପ୍ରଦାନ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଚାଷୀଙ୍କ ଆନ୍ଦୋଳନକୁ ସରକାର ଗୁରୁତ୍ୱ ସହ ଗ୍ରହଣ କରି ଶୀଘ୍ର ଟୋକନ ପ୍ରଦାନ କରିବାର ବ୍ୟବସ୍ଥା କରିଥିବାରୁ ଚାଷୀମାନେ ସରକାର, ଆନ୍ଦୋଳନ ସମୟରେ ସୁରକ୍ଷା ପାଇଁ ଉପସ୍ଥିତ ଥିବା ପୁଲିସ ବାହିନୀ ଓ ଜିଲ୍ଲା କୃଷକ ସଂଗଠନର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।