ଓଡିଶାର ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବା ଓଡିଶା ପାଇଁ ଖୁସି ଓ ଗୌରବର ବିଷୟ:ସମୀର ମହାନ୍ତି

ଭୁବନେଶ୍ୱର : ଚଳିତ ବର୍ଷ ଓଡିଶାର ୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ  ହୋଇଛନ୍ତି । ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ ଏବଂ ରଜତ କର, ନନ୍ଦ ପୃଷ୍ଟି, ଶାନ୍ତି ଦେବୀ, ପୂର୍ଣ୍ଣମାସୀ  ଏବଂ କୃଷ୍ଣମୋହନ ପାଠୀଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବା ନେଇ ନିଷ୍ପତି ହୋଇଛି । ଓଡିଶାର ପ୍ରତିଭାଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରିଥିବାରୁ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଓଡିଶାବାସୀଙ୍କ ପକ୍ଷରୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଧନ୍ୟବାଦ ଜଣାଇଛନ୍ତି ।
ପଦ୍ମ ପୁରସ୍କାର ଘୋଷଣା ପରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ପଦ୍ମ ବିଭୂଷଣ ଉପାଧି ପାଇଁ ସୁଦର୍ଶନ ସାହୁ ଏବଂ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଥିବା ରଜତ କରଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଛନ୍ତି । ସୁଦର୍ଶନ ସାହୁ ଜଣେ ସ୍ଥପତି ଭାବେ ଜାତୀୟ ଏବଂ ଅନ୍ତର୍ଜାତିକ ସ୍ତରରେ ଅନେକ ସୁମନାମ ଅର୍ଜନ କରିଛନ୍ତି । ସେହିପରି ରଜତ କୁମାର କର ଜଣେ  ଶିକ୍ଷାବିତ୍‌, ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଏବଂ ବିଶେଷ କରି ରଥଯାତ୍ରାର ଧାରା ବିବରଣୀ କରି ଓଡିଶାର ଜନମାନସରେ ବେଶ ପରିଚିତି ଲାଭ କରିଛନ୍ତି । କେନ୍ଦ୍ରରେ ମୋଦି ସରକାରଙ୍କ ଶାସନରେ ଓଡିଶା ତାର ହକ ଠାରୁ ସବୁବେଳେ ଅଧିକ ପାଇଛି ।
ଓଡିଶାର ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବା ଓଡିଶା ପାଇଁ ଖୁସି ଓ ଗୌରବର ବିଷୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଏହି ଅବସରରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ମୁଖପାତ୍ର ଠାକୁର ରଂଜତି ଦାସ ଓ ସୋନାଲୀ ସାହୁ, ଦିଲୀପ ମଲ୍ଲିକ, ରମାରଂଜନ ବଳିଆରସିଂ, ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।