ଝାରସୁଗୁଡ଼ା,ଏନ୍ଏନ୍ଏସ୍: ପୁନଃ ନିଯୁକ୍ତି ଓ ବାକେୟା ପ୍ରାପ୍ୟ ପ୍ରଦାନ ଦାବିରେ ଆଜି ବନ୍ଦ ହୋଇଥିବା କନକାଷ୍ଟ ଷ୍ଟିଲ କାରଖାନାର ପୁରୁଣା କର୍ମଚାରୀମାନେ ଏସଏମସି କାରଖାନା ସମ୍ମୁଖରେ ତାଲା ପକାଇ ଧାରଣା ଦେଇଥିଲେ। ସେମାନେ କହିଛନ୍ତି ଗତ ୨୦୧୭ ଜାନୁଆରୀ ୧ ତାରିଖରେ କନକାଷ୍ଟ ଷ୍ଟିଲ ପାୱାର ଲିମିଟେଡ୍ କର୍ମଚାରୀମାନଙ୍କୁ ଦରମା ନଦେଇ ହଠାତ୍ ବନ୍ଦ କରିଦେଇଥିଲା। ଫଳରେ ଶହଶହ ସ୍ଥାନୀୟଲୋକେ ବେରୋଜଗାର ହୋଇଥିଲେ । ଏହାପରେ କର୍ମଚାରୀମାନେ ଜିଲ୍ଲାପାଳ ଓ ଶ୍ରମ ଅଧିକାରୀଙ୍କୁ ନିଜର ବାକେୟା ପ୍ରାପ୍ୟ ଓ ଇଫିଏଫ ଟଙ୍କା ପ୍ରଦାନ କରିବାରେ ସହଯୋଗ କରିବା ପାଇଁ ବାରମ୍ବାର ନିବେଦନ କରିଥିଲେ । ହେଲେ କମ୍ପାନୀ କର୍ମଚାରୀମାନଙ୍କ ବାକେୟା ପ୍ରାପ୍ୟ ପ୍ରଦାନ କରିନଥିଲା । ଅନ୍ୟପଟେ ପ୍ରାୟ ୩ ବର୍ଷପରେ କନକାଷ୍ଟ ଷ୍ଟିଲକୁ ଏସଏମସି କମ୍ପାନୀ ପୁନଃ କାର୍ଯ୍ୟକ୍ଷମ କରିଛି। ଏସଏମସି କମ୍ପାନୀ ପୁରୁଣା କର୍ମଚାରୀଙ୍କୁ ନିଯୁକ୍ତି ଦେଇନାହିଁ ଏବଂ ବନ୍ଦ ହୋଇଯାଇଥିବା କନକାଷ୍ଟ ଷ୍ଟିଲ କମ୍ପାନୀ ଶ୍ରମିକମାନଙ୍କୁ ବାକେୟା ପ୍ରାପ୍ୟ ଓ ଇଫିଏଫ ଟଙ୍କା ପ୍ରଦାନ କରୁନାହିଁ । ତେଣୁ ବନ୍ଦ ହୋଇଥିବା କନକାଷ୍ଟ ଷ୍ଟିଲରେ କାମ କରୁଥିବା ସମସ୍ତ ପୁରୁଣା କର୍ମଚାରୀଙ୍କ ବାକେୟା ପ୍ରାପ୍ୟ, ଇଫିଏଫ ଟଙ୍କା ପ୍ରଦାନ କରାଯିବାସହ ସେମାନଙ୍କୁ ନୂତନ ଭାବରେ କାର୍ଯ୍ୟକ୍ଷମ ହୋଇଥିବା ନୂତନ କମ୍ପାନୀରେ ନିଯୁକ୍ତି ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି।