ଜିଲ୍ଲା ପୁଲିସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ପୁଲିସ ପକ୍ଷରୁ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ପୁଲିସ ପକ୍ଷରୁ ଝାରସୁଗୁଡ଼ା ସହରରେ ଏକ ରାଲି ଅନୁଷ୍ଠିତ ହୋଇଛି। ଏହି ରାଲିରେ ପୁଲିସ ପକ୍ଷରୁ ଫୁଲ ଓ ହେଲମେଟ ପ୍ରଦାନ କରି ଲୋକଙ୍କୁ ସଡ଼କ ସୁରକ୍ଷା ତଥା ବିଭିନ୍ନ ଟ୍ରାଫିକ ନିୟମ ପାଳନ ପାଇଁ ସଚେତନ କରାଯାଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ ନୃପ ଚରଣ ଡନସନା, ଝାରସୁଗୁଡ଼ା ଏସଡିପିଓ କୈଳାସ ଅ।ଚର୍ଯ୍ୟ, ଝାରସୁଗୁଡ଼ା ଟାଉନ ଥାନାଧିକାରୀ ସାବିତ୍ରୀ ବଳ, ପିଣ୍ଟୁ ପାଢ଼ୀ, ଜିଲ୍ଲାର ବିଭିନ୍ନ ସଂଗଠନର ସଦସ୍ୟ, ବୁଦ୍ଧିଜୀବୀ ଓ ପୁଲିସ ଦଳ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲା ପୁଲିସ ପକ୍ଷରୁ କୁହାଯାଇଛି ଯେ, ସଚେତନତାର ସହ ଓ ସମସ୍ତ ଟ୍ରାଫିକ ନିୟମ ପାଳନ କରି ଆମେ ଦୁର୍ଘଟଣାଜନିତ ଧନଜୀବନ ହାନୀକୁ ଆମେ ରୋକିପାରିବା। ତେଣୁ ବାଇକଆରୋହୀ ସର୍ବଦା ହେଲମେଟ ବ୍ୟବହାର କରନ୍ତୁ। ସେହିପରି କାର ଚାଳକ ସବୁବେଳେ ସିଟ ବେଲ୍ଟ ବାନ୍ଧନ୍ତୁ। ଏହାସହ ୧୮ ବର୍ଷରୁ କମ୍ ବୟସର ପିଲାମାନେ ଯାନବାହନ ଚଳାଚଳ କରନ୍ତୁ ନାହିଁ। ରାସ୍ତାକଡ଼ରେ ବେଆଇନ ଗାଡ଼ି ପାର୍କିଂ ନକରିବା, ନିଶାଦ୍ରବ୍ୟ ବ୍ୟବହାର କରି ଗାଡ଼ି ନଚଳାଇବା, ଯେକୌଣସି ଯାନାବାହାନ ଚାଳକଙ୍କ ଡ୍ରଇଭିଂ ଲାଇସେନ୍ସ ସହିତ ଅନ୍ୟାନ୍ୟ ପ୍ରମାଣପତ୍ର ନିଜ ପାଖରେ ରଖିବା, ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ ଏବଂ ହେଡଫୋନ ବ୍ୟବହାର ନକରି ସମସ୍ତ ଟ୍ରାଫିକ ନିୟମ ପାଳନ କରିବା ପାଇଁ ପୁଲିସ ପକ୍ଷରୁ ସଚେତନ କରାଯାଇଛି।