ସମାଜସେବୀ ଓ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ

ବଲାଙ୍ଗିର,ଏନ୍ଏନ୍ଏସ୍: ସମାଜସେବୀ ତଥା ଶ୍ରମିକ ନେତା ଲଳିତ ନାୟକଙ୍କର ଆଜି ପରଲୋକ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ଏମ‌ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

୬ ମାସ ହେଲା ଲଳିତ ନାୟକ ଭୁବନେଶ୍ୱରରେ ରହି ଚିକିତ୍ସିତ ହେଉଥିଲେ। ପ୍ରଥମେ କ୍ୟାନସରରେ ଓ ପରେ କରୋନାରେ ସେ ଆକ୍ରାନ୍ତ ହୋଇଥିଲେ। ଏକ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିଲା। ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା।

ଲଳିତ ନାୟକ ପଶ୍ଚିମ ଓଡ଼ିଶା ଶ୍ରମିକ ସଂଘ, ବିଦ୍ୟୁତ୍ କର୍ମଚାରୀ ସଂଘ ଏବଂ ରିକ୍ସା ଓ ଅଟୋ ଚାଳକ ସଂଘ ଭଳି ପ୍ରାୟ ୫୦ ଟି ସଂଗଠନର ସଭାପତି ଭାବେ ଦାୟିତ୍ୱ ତୁଲାଉଥିଲେ। ତାଙ୍କ ମାର୍ଗଦର୍ଶନରେ ଅନେକ ସମାଜସେବୀ ସଂଗଠନ ମଧ୍ୟ ଗଠନ କରାଯାଇଛି। ଗରିବ ଓ ନିସଃହାୟଙ୍କ ପାଇଁ ସେ ସଦାସର୍ବଦା ଲଢ଼େଇ କରିଥିଲେ।

ସାରା ଜୀବନ ନିଜକୁ ସମାଜସେବାରେ ନିୟୋଜିତ କରିଥିବା ଲଳିତ ନାୟକ ବିବାହ କରି ନଥିଲେ। ତାଙ୍କ ବିୟୋଗରେ ସାରା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ପାର୍ଥିବ ଶରୀରକୁ ବଲାଙ୍ଗିର ଅଣାଯାଇ ସତ୍କାର କରାଯିବ ବୋଲି ଜଣାପଡ଼ିଛି।