ଶିକାର ଉଦ୍ଦେଶ୍ୟରେ ଜଙ୍ଗଲରେ ବୁଲୁଥିବା ୨ ଶିକାରୀ ଗିରଫ : ଗୋଟିଏ ବନ୍ଧୁକ ଓ ୬ ଜୀବନ୍ତ ଗୁଳି ଜବତ

ଦେବଗଡ଼,ଏନ୍ଏନ୍ଏସ୍: ରିଆମାଳ ଫରେଷ୍ଟ ରେଞ୍ଜ ଓ ସେକ୍ସନ ଅନ୍ତର୍ଗତ ଜଡ଼ାଗୋଳା ଖସଡ଼ା ଜଙ୍ଗଲ ମଧ୍ୟରେ ଜନ୍ତୁ ଶିକାର ପାଇଁ ବୁଲୁଥିବା ୨ଜଣ ଶିକାରୀଙ୍କୁ ବନ ବିଭାଗ ପକ୍ଷରୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ବନ୍ଧୁକ, ୬ଟି ଜୀବନ୍ତ ଗୁଳି ଓ ଫାସ ଜବତ କରାଯାଇଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବିକ, ଗତକାଲି ସନ୍ଧ୍ୟାରେ ଟୁହିଲାମାଲ ଗ୍ରାମର ନିରୋଧ ନାୟକ (୩୫) ଓ ଅଜୟ ପ୍ରଧାନ (୩୦) ନାମକ ୨ଜଣ ଶିକାରୀ ଖସଡ଼ା ଜଙ୍ଗଲ ମଧ୍ୟକୁ ଜନ୍ତୁ ଶିକାରୀ ପାଇଁ ଯାଇଥିଲେ। ଏହି ସମୟରେ ରିଆମାଳ ଫରେଷ୍ଟ ରେଞ୍ଜର ଭବାନୀ ଶଙ୍କର ଦାସ, ଫରେଷ୍ଟର ତୁଷାର ରଞ୍ଜନ ପ୍ରଧାନ ଓ ବନରକ୍ଷୀ ବାହାନ ବେହେରା ପାରା କର୍ମଚାରୀଙ୍କ ସହ ଉକ୍ତ ଜଙ୍ଗଲ ମଧ୍ୟରେ ଘେରିଯାଇ ଶିକାରୀ ଦ୍ୱୟଙ୍କୁ କାବୁ କରିବା ସହ ସେମାନଙ୍କ ପାଖରୁ ବନ୍ଧୁକ, ଗୁଳି ଓ ଫାସ ଜବତ କରି ଗିରଫ କରିଥିଲେ। ଆଜି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି।