ଦେବଗଡ଼,ଏନ୍ଏନ୍ଏସ୍ : ଆସନ୍ତାକାଲିଠୁ ସାରା ଦେଶରେ କରୋନା ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାବେଳେ ଦେବଗଡ଼ ଜିଲ୍ଲାରେ ମଧ୍ୟ ଏହା କାର୍ଯ୍ୟକାରୀ ହେବ। ଜିଲ୍ଲାରେ କରୋନା ଟିକାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତିକୁ ନେଇ ଆଜି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମନୋଜ କୁମାର ଉପାଧ୍ୟାୟ ସମ୍ବୋଧନ କରି ଆସନ୍ତାକାଲି ସକାଳ ୯ରୁ ସନ୍ଧ୍ୟା ୫ଟା ଯାଏଁ ଟିକା ଦିଆଯିବ ବୋଲି ସୂଚନା ଦେଇଛନ୍ତି। ସେହିପରି ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣ କରାଯିବ। ଏଥିସହିତ ଦେବଗଡ଼ ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ୧୬୫୦ ଭ୍ୟାକ୍ସିନ ଆସିଥିବାବେଳେ ପ୍ରଥମ ଦିନରେ ୨୦୦ ଜଣଙ୍କୁ ଏହି ଭ୍ୟାକ୍ସିନ ପ୍ରଦାନ କରାଯିବା ନେଇ ସୂଚନା ଦେଇଥିଲେ। କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଦେଲେ ସମସ୍ତ ପ୍ରକାର ଚିକିତ୍ସା କରାଯିବା ନେଇ ବିଭାଗ ପକ୍ଷରୁ ଆଗୁଆ ବ୍ୟବସ୍ଥା କରାଯାଇଥିବାରୁ ବିନା ଭୟରେ ଏହି ଟିକା ନେବାକୁ ଡା. ଶ୍ରୀ ଉପାଧ୍ୟାୟ ପ୍ରକାଶ କରିଥିଲେ। ପର୍ଯ୍ୟାୟକ୍ରମେ ଜିଲ୍ଲାକୁ ଏହି ଭ୍ୟାକ୍ସିନ ଆସିବାକୁ ଥିବାବେଳେ କୌଣସି ଗୁଜବରୁ ଦୂରରେ ରହି ଜିଲ୍ଲାବାସୀ ସ୍ୱାସ୍ଥ୍ୟ ବିଭାଗକୁ ସହଯୋଗ କରିବାକୁ ନିବେଦନ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପରିଚାଳକ ଉମେଶ ପ୍ରସାଦ ଷଡ଼ଙ୍ଗୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଜୟ କୁମାର ମିଶ୍ର, ଓଆରଟିଏସର ଉପପରିଚାଳିକା ଜ୍ୟୋସ୍ନା ରାଣୀ ଶର୍ମାଙ୍କ ସମେତ ଜିଲ୍ଲାରେ କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ।