ନୂଆଦିଲ୍ଲୀ,ଏଜେନ୍ସି: ପ୍ରତ୍ୟେହ ସାଢ଼େ ୪ଲକ୍ଷ ଯାତ୍ରୀଙ୍କ ସମାଗମ ହେଉଥିବା ଭାରତର ଦ୍ୱିତୀୟ ସର୍ବାଧିକ ଭିଡ଼ ଷ୍ଟେସନ ଭାବେ ପରିଚିତ ନୂଆଦିଲ୍ଲୀ ରେଳ ଷ୍ଟେସନ। ଏହାକୁ ଖୁବ୍ ଶୀଘ୍ର ନବୀକରଣ କରାଯାଇ ଏନ ନୂତନ ରୂପ ଦିଆଯିବ। ରେଲ୍ ଲ୍ୟାଣ୍ଡ ଡେଭଲପମେଣ୍ଟ ଅଥରିଟି (ଆରଏଲଡିଏ) ଓ ଇଣ୍ଡିଆନ ରେଲୱେ ଷ୍ଟେସନ ଡେଭଲପମେଣ୍ଟ କର୍ପୋରେସନ୍ (ଆଇଆରଏସଡିସି) ପକ୍ଷରୁ ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଠାରେ ପ୍ରତ୍ୟହ ୪୦୦ ଟ୍ରେନ୍ ଯାତାୟାତ କରୁଥିବାବେଳେ ଏହି ସଂଖ୍ୟା କ୍ରମଶଃ ବଢ଼ୁଥିବାରୁ ଷ୍ଟେସନର ନବୀକରଣ ଅପରିହାର୍ଯ୍ୟ ହୋଇପଡ଼ିଥିବା ଦୁଇ ସଂସ୍ଥା ପକ୍ଷରୁ କୁହାଯାଇଛି। ଏଥିପାଇଁ ୬୮୦ ନିୟୁତ ଡଲାର ବ୍ୟୟ ଅଟକଳ କରାଯାଇଛି। ଏହାର ନିର୍ମାଣ ୪ବର୍ଷ ମଧ୍ୟରେ ଶେଷ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।
ପ୍ରସ୍ତୁତ ଯୋଜନା ଅନୁସାରେ, ନୂଆଦିଲ୍ଲୀ ଷ୍ଟେସନ ଓ ମେଟ୍ରୋ ଷ୍ଟେସନକୁ ‘ସ୍କାଇ ୱାକ୍’ ମାଧ୍ୟମରେ ସଂଯୋଗ କରାଯିବ। ଷ୍ଟେସନକୁ ଏକ ବହୁମୁଖୀ ହବ୍ରେ ପରିଣତ କରାଯିବ। ଷ୍ଟେସନକୁ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଏକାଧିକ ରାସ୍ତା ସଂଯୋଗ କରାଯିବ। ଏତଦବ୍ୟତୀତ ପରିବେଶ ଅନୁକୂଳ ବିଭିନ୍ନ ଅତ୍ୟାଧୁନିକ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ଏକାଧିକ କାର୍ ପାର୍କିଂ ବ୍ୟବସ୍ଥା ମଧ୍ୟ ରହିବ। ପ୍ରାୟ ୩୦ ଏକର ଜମିରେ ହୋଟେଲ, ବାଣିଜ୍ୟ କେନ୍ଦ୍ର, ଆମୋଦ ସ୍ଥଳ ଇତ୍ୟାଦି ସ୍ଥାନ ପାଇବ।