ବାପାକୁ ହତ୍ୟା କରି ପୁଅ ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ବାପାକୁ ହତ୍ୟା କରି ପୁଅ ଗିରଫ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ବଞ୍ଜାରୀ ହରିଜନ ପଡ଼ାର ମାନିକ ଚନ୍ଦ୍ର ବେହେରା (୨୫) ବୋଲି ବଡ଼ମାଲ ଥାନାଧିକାରୀ ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି। ମିଳିଥିବା ରିପୋର୍ଟ ମୁତାବିକ, ବଞ୍ଜାରୀ ଗ୍ରାମ ହରିଜନ ପଡ଼ାର ଲକ୍ଷମନ ଚନ୍ଦ୍ର ବେହେରା(୫୨) ଓ ତାଙ୍କ ସ୍ତ୍ରୀ ମଧ୍ୟରେ ମଙ୍ଗଳବାର ରାତିରେ ଝଗଡ଼ା ହୋଇଥିଲା। ଏହି ସମୟରେ ପୁଅ ମାନିକ ଚନ୍ଦ୍ର ଆସି ବାପାଙ୍କୁ ଝଗଡ଼ା ନ କରିବା ପାଇଁ କହିଥିଲା। ହେଲେ ମଧ୍ୟ ଲକ୍ଷମନ କିଛି ନଶୁଣି ଉଭୟ ମା’ ପୁଅକୁ ଗାଳିଗୁଳଜ କରିବାରେ ଲାଗିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ମାନିକ ପାଖରେ ଥିବା ଏକ କଟୁରୀରେ ତାଙ୍କ ବାପା ଲକ୍ଷମନକୁ ବାରମ୍ବାର ଆକ୍ରମଣ କରିଥିଲା। ଲକ୍ଷମନଙ୍କ ବେକ, ପେଟ, କାନ୍ଧ ଓ ଡାହାଣ କହୁଣିକୁ କଟୁରୀରେ ବାରମ୍ବାର ଆଘାତ ଲାଗିବାରୁ ସେ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଯାଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ହେଁ ସେଠାରେ ଚିକିତ୍ସିତ ଅବସ୍ଥାରେ ଲକ୍ଷମନଙ୍କ ମୃତ୍ୟୁ ହୋଇଥିଲା। ଏନେଇ ଲକ୍ଷମନଙ୍କ ଭାଇ ବିରେନ୍ଦ୍ର ବେହେରା ଆଜି ସକାଳେ ବଡ଼ମାଲ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଧାରା ୩୦୨ରେ କେସ ନମ୍ବର ୧୧ ରୁଜୁ କରି ମାନିକ ତା’ ବାପାଙ୍କୁ ହତ୍ୟା କରିଥିବା କଟୁରୀକୁ ଜବତ କରିବା ସହ ମାନିକକୁ ଗିରଫ କରି କୋର୍ଟ ଚାଲାଣ କରିଛି।