କଙ୍ଗନା ରାନାୱତଙ୍କ ଗିରଫ ଅବଧି ଜାନୁଆରୀ ୨୫କୁ ବୃଦ୍ଧି

ମୁମ୍ବାଇ,ଏଜେନ୍ସି: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଓ ତାଙ୍କ ଭଉଣୀ ରଙ୍ଗୋଲି ଚଣ୍ଡେଲଙ୍କ ବିରୋଧରେ ହୋଇଥିବା ମାମଲାର ଶୁଣାଣି ଆସନ୍ତା ୨୫ ତାରିଖକୁ ଘୁଞ୍ଚିଯାଇଛି।

ସୂଚନା ଅନୁସାରେ ଗତବର୍ଷ ଅକ୍ଟୋବର ମାସରେ କଙ୍ଗନା ଓ ଚଣ୍ଡେଲ ତାଙ୍କ ମନ୍ତବ୍ୟ ଦ୍ୱାରା ଦୁଇ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସହିତ କରୁଥିବା ଜଣାପଡ଼ିଥିଲା। ମାଜିଷ୍ଟ୍ରେଟ କୋର୍ଟର ନିର୍ଦ୍ଦେଶରେ ବାନ୍ଦରା ପୁଲିସ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏନେଇ ବାନ୍ଦରା ପୁଲିସ ଭାରତୀୟ ଦଣ୍ଡବିଧି ଅନୁସାରେ ଧାରା ୧୩୫-ଏ (ଧର୍ମକୁ ନେଇ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା), ୨୯୫-ଏ (ଧାର୍ମିକ ଭାବନାକୁ ହାନୀ ପହଞ୍ଚାଇବା), ୧୨୪-ଏ (ଦେଶ ଦ୍ରୋହ) ଓ ୩୪ (ସାଧାରଣ ଉଦ୍ଦେଶ୍ୟ) ଦଫାରେ ମାମଲା ରୁଜୁ କରିଥିଲା।

ଏହା ପରେ କଙ୍ଗନା ଓ ତାଙ୍କ ଭଉଣୀଙ୍କ ଟୁଇଟକୁ ନେଇ କାଷ୍ଟିଂ ଡାଇରେକ୍ଟର ମୁନାୱାର ଅଲ୍ଲୀ ସୟଦ ମଧ୍ୟ ଏକ ମାମଲା ରୁଜୁ କରିଥିଲେ। ସେ ଅଭିଯୋଗ ଆଣିଥିଲେ କି କଙ୍ଗନା ତାଙ୍କର ଟୁଇଟର ଓ ଟିଭି ସାକ୍ଷାତକାରରେ ବଲିଉଡ ଆତ୍ମୀୟତା, ପକ୍ଷପାତିତା, ଡ୍ରଗ୍ସ ସେବକ, ସାମ୍ପ୍ରଦାୟିକ ପକ୍ଷପାତକ ଓ ହତ୍ୟାକାରୀରେ ଭର୍ତ୍ତି ହୋଇଥିବା କହିଛନ୍ତି। ତାଙ୍କର ଏଭଳି ମନ୍ତବ୍ୟ ପରେ ବଲିଉଡ ପ୍ରତି ଲୋକଙ୍କ ଦୃଷ୍ଟି ବଦଳି ଯାଇଛି। ସେହିପରି ସେ ତାଙ୍କର ଟୁଇଟରେ ଧର୍ମକୁ ନେଇ ଅନେକ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ କରିଥିଲେ।

ତେବେ ଆଜି ହାଇକୋର୍ଟରେ ମାମଲାର ଶୁଣାଣି ଚାଲିଥିବା ବେଳେ କଙ୍ଗନା ଓ ତାଙ୍କ ଭଉଣୀଙ୍କୁ ଏନେଇ ପଚରାଉଚରା କରାଯାଇନାହିଁ। ଏଥିସହିତ ମାମଲାର ଶୁଣାଣି ଆସନ୍ତା ଜାନୁଆରୀ ୨୫କୁ ଘୁଞ୍ଚାଇ ଦିଆଯାଇଛି।