ବ୍ରଜରାଜନଗରରୁ ଗାଡ଼ି ଚୋରି କରି ରାଞ୍ଚିରେ ବିକ୍ରି ଉଦ୍ୟମ, ୨ ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବ୍ରଜରାଜନଗରରୁ ଏକ ଟ୍ରଲର ଚୋରି କରି ରାଞ୍ଚିରେ ତାକୁ ଏକ ଗ୍ୟାରେଜରେ କାଟି ବିକ୍ରି ଉଦ୍ୟମ କରିଥିବା ୨ ଜଣ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ବ୍ରଜରାଜନଗର ଥାନା ବରପାଲି ଗ୍ରାମର ସୀତାରାମ ପ୍ରଧାନଙ୍କ ପୁଅ ତପନ ପ୍ରଧାନ (୨୮) ଓ ତାର ସହଯୋଗୀ ଝାଡ଼ଖଣ୍ଡର ଭୋଲା ସିଂର ପୁଅ ସୁଦର୍ଶନ ସିଂ (୩୫) ବୋଲି ପୁଲିସ ସୂଚନା ଦେଇଛି। ସୂଚନା ଅନୁଯାୟୀ, ବ୍ରଜରାଜନଗର ଓରିଏଣ୍ଟ ଥାନା ଅନ୍ତର୍ଗତ ଓପିଏମ କଲୋନୀର ସନ୍ତୋଷ କୁମାର ସିଂଙ୍କ ତାଙ୍କ ଟ୍ରଲର (ଓଆର ୧୬ ବି୭୨୮୮)କୁ ବିକ୍ର କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଏହାଜାଣି ତପନ ଓ ସୁଦର୍ଶନ ସନ୍ତୋଷଙ୍କ ଗାଡ଼ି ଦେଖି ସମସ୍ତ କାଗଜପତ୍ରର ଏକ ଜେରେକ୍ସ କପି ମାଗିଥିଲେ। ପରେ ଗତ ୨୭ ତାରିଖରେ ଗାଡ଼ି କିଣାକୁ ନେଇ ଦର ଠିକ୍ ହେବାପରେ ତପନ ସନ୍ତୋଷକୁ ୨ ଲକ୍ଷ ଟଙ୍କା ଆଗୁଆ ଦେଇ ପରଦିନ ଗାଡ଼ିର ମାଲିକାନା ଆରଟିଓ ଅଫିସରେ ପରିବର୍ତ୍ତନ କରିବା ପାଇଁ କହିଥିଲା। ହେଲେ ସେହିଦିନ ରାତିରେ ଗାନ୍ଧିଛକ ନିକଟସ୍ଥ ୯ ନମ୍ବର ମୁଣ୍ଡାପଡ଼ା ନିକଟରୁ ତପନ ପ୍ରଧାନ ଓ ସୁଦର୍ଶନ ସିଂ ରାତି ୧୧ଟାରେ ସନ୍ତୋଷଙ୍କ ଟ୍ରଲରକୁ ଚୋରି କରି ରାଞ୍ଚିକୁ ନେଇ ଯାଇଥିଲେ। ଏବଂ ସକାଳେ ସନ୍ତୋଷକୁ ଫୋନକରି ଆରଟିଓ ଅଫିସକୁ ଟ୍ରଲର ନେଇ ଆସିବାକୁ କହିଥିଲେ। ସନ୍ତୋଷ ଟ୍ରଲର ଚୋରିହେବା ଘଟଣା ତପନକୁ କହିବା ପରେ ତପନ ଟ୍ରଲର କିଣିବା ପାଇଁ ଦେଇଥିବା ୨ ଲକ୍ଷ ଟଙ୍କା ଫେରସ୍ତ କରିବା ପାଇଁ କହିଥିଲା। ସନ୍ତୋଷ ଟ୍ରଲରକୁ ଚାରିଆଡେ ଖୋଜା ଖୋଜି କରି ନିରାଶ ହେବାପରେ ଗତ ୪ ତାରିଖରେ ଓରିଏଣ୍ଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

 

ପୁଲିସ ଏନେଇ ମାମଲା ରୁଜକରି ତଦନ୍ତ ଆରମ୍ଭ କରି ତପନର ଫୋନର ଲୋକେସନ ଓ କଲ ରେକଡ଼ ଯାଞ୍ଚ କରିବା ପରେ ପଚାରାଉଚୁରା କରିଥିଲା। ପୁଲିସର ପଚରାଉଚୁରା ସମୟରେ ସେ ଟ୍ରଲର ଚୋରି କରିଥିବା ସ୍ୱୀକାର କରିଥିଲା। ଫଳରେ ପୁଲିସ ଓ ସୁଦର୍ଶନକୁ ଗିରଫ କରିବା ସହିତ ଟ୍ରଲରକୁ ରାଞ୍ଚିରୁ ଜବତ କରିଛି। ସେହିପରି ଟ୍ରଲରର ବିଭିନ୍ନ ପାର୍ଟ୍ସ ବିକ୍ରି ପାଇଁ ଟ୍ରଲରକୁ କାଟୁଥିବା ଗ୍ୟାରେଜ ମାଲିକକୁ ମଧ୍ୟ ପୁଲୁସ ଗିରଫ କରି ଝାଡ଼ଖଣ୍ଡରୁ ଓଡ଼ିଶାକୁ ଆଣୁଥିବା ପୁଲିସ ସୂଚନା ଦେଇଛି। ପ୍ରକାଶ ଯୋଗ୍ୟ ଯେ, ତପନ ବିଗତ ୧ ବର୍ଷ ମଧ୍ୟରେ ୧୫ଟି ଟ୍ରକ୍, ଟ୍ରଲର ହାଇୱା ଏହି ଉପାୟରେ ବ୍ରଜରାଜନଗର ସମେତ ଝାରସୁଗୁଡ଼ା, ବେଲପାହାଡ଼, ବଡ଼ମାଲରୁ, ସୁନ୍ଦରଗଡ଼ ଓ ସମ୍ବଲପୁରରୁ ଚୋରି କରିଥିବା ପୁଲିସ ଆଗରେ ସ୍ୱୀକାର କରିଛି।