ଝାରସୁଗୁଡ଼ା ବିମାନବନ୍ଦରୁ ପୁଣି ଉଡ଼ିବ ବୋଇଙ୍ଗ ବିମାନ

୩ ସିଫ୍ଟ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସୁବିଧା ଉପଲବ୍ଧ ପାଇଁ ମନ୍ତ୍ରୀଙ୍କ ଦାବି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ବୀର ସୁରନ୍ଦ୍ର ସାଏ ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବାପରେ ମାତ୍ର କିଛିଦିନ ବୋଇଙ୍ଗ ବିମାନ ଏଠାରୁ ଚଳାଚଳ କରି ଆଇଏଲଏସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଅଭାବ ଯୋଗୁଁ ବନ୍ଦ ହୋଇଯାଇଥିଲା। ବଡ଼ ବୋଇଙ୍ଗ ବିମାନ ପରିବର୍ତ୍ତେ ଛୋଟଛୋଟ ବିମାନ ଚଳାଚଳ କରୁଥିଲା। ଝାରସୁଗୁଡାର ଏହି ବିମାନ ବନ୍ଦରରେ ଏବେ ଆଇଏଲଏସ ଲାଗି ସାରିଛି ଏବଂ ଆବଶ୍ୟକ ଅଗ୍ନିଶମ କର୍ମଚାରୀମାନେ ନିୟୋଜିତ ହୋଇସାରିଛନ୍ତି। ଫଳରେ ଏଠାରୁ ଆସନ୍ତା ୧୧ତାରିଖରୁ ପୁଣି ଥରେ ନୂଆଁଦିଲ୍ଲୀକୁ ବୋଇଙ୍ଗ ବିମାନ ଉଡ଼ିବ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ବୋଇଙ୍ଗ ବିମାନ ଚଳାଚଳ କଲେ ନୂଆଦିଲ୍ଲୀକୁ ବିମାନ ଭଡ଼ା କମିବାସହ ଯାତ୍ରୀମାନେ ଅଧିକ ଆରାମର ସହିତ ଯାତ୍ରା କରିପାରିବେ।

ସେହିପରି ଆସନ୍ତା ୧୨ତାରିଖରୁ ମୁମ୍ବାଇ ଓ ବାଙ୍ଗାଲୁରୁ ମେଟ୍ରୋ ସିଟିକୁ ଏଠାରୁ ବୋଇଙ୍ଗ ବିମାନ ଉଡ଼ିବାକୁ ଯାଉଛି। ଫଳରେ ଝାରସୁଗୁଡା ବିମାନ ବନ୍ଦରରେ ଏବେ ବିମାନସେବାରେ ସମ୍ପ୍ରସାରଣ ସହିତ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଉଛି। ହେଲେ ଝାରସୁଗୁଡାର ଏହି ବିମାନ ବନ୍ଦରରେ ଏବେ ଦୁଇଟି ସିଫ୍ଟରେ ଏୟାର ଟ୍ରାଫିକ କଂଟ୍ରେଲ(ଏଟିସି) ଚାଲୁ ରହିଛି। ତେବେ ବିମାନ ସଂଖ୍ୟା ଓ ଯାତ୍ରୀ ସଂଖ୍ୟା ବୃଦ୍ଧି ହେତୁ ଏଠାରେ ତିନି ସିଫ୍ଟ ଏୟାର ଟ୍ରାଫିକ୍ କଂଟ୍ରୋଲର ଆବଶ୍ୟକତା ରହିଛି। ଏଣୁ ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହିତ ଗ୍ରହଣ କରି ଯଥା ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଦାବି କରିଛନ୍ତି। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢ଼ୀଙ୍କୁ ପତ୍ର ଲେଖିଛନ୍ତି।

ଶ୍ରୀ ଦାସ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଝାରସୁଗୁଡ଼ା ବିମାନବନ୍ଦରରେ ୨ସିଫ୍ଟରେ ଏୟାର ଟ୍ରାଫିକ୍ କଂଟ୍ରୋଲ କରାଯାଉଛି। ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଯାତ୍ରୀ ସଂଖ୍ୟା ବଢ଼ିବା ସହ ଏହା ଦିନକୁ ଦିନ ଉନ୍ନତ୍ତତର ହେବାକୁ ଯାଉଛି। ଏଠାରୁ ଏବେ ପୂର୍ବରୁ ବୃହତ୍ତର ବିମାନ ଉଡ଼ିବାକୁ ଯାଉଛି। ତେଣୁ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ୩ ସିପ୍ଟ ଟ୍ରାଫିକ କଂଟ୍ରୋଲର ବ୍ୟବସ୍ଥା କରାଯାଉ ବୋଲି ଶ୍ରୀ ଦାସ ଦାବି କରିଛନ୍ତି।